ଭୁବନେଶ୍ବର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩ ହଜାର ୪୬୨ ଟି ଶିକ୍ଷକ ପଦବୀ ମଧ୍ୟ ମଞ୍ଜୁର କରାଯାଇଛି । ଏବେ ଖାଲି ପଦବୀ ତଥା ନୂତନ ମଞ୍ଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପ୍ରେଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।