ଭୁବନେଶ୍ବର: ରାଜଧାନୀରେ ଗରିବ ଖଟିକିଆର ଦୟନୀୟ ଚିତ୍ର । ଘର ଭଡା ଦେଇ ନ ପାରିବାରୁ ବନ୍ଧା ପଡିଛି ଝିଅ । ୯ବର୍ଷର ଛୁଆକୁ ପାଇବା ନ୍ୟାୟ ଆଶାରେ ପରିବାର । କୁନି ଝିଅକୁ ଘର ମାଲିକ ରଖି ତାଙ୍କର ଝିଅ ବୋଲି କହୁଛି । ଝିଅକୁ ଫେରାଇ ଆଣିବା ଲାଗି ପୋଲିସ ପାଖରେ ବାପା ମାଆ ଗୁହାରି କରିଛନ୍ତି ।
ଦୀର୍ଘ ୬ ମାସ ଧରି ଜନ୍ମକଲା ଝିଅକୁ ପାଇବା ଆଶାରେ ରାଜଧାନୀର ଏଣେତେଣେ ବୁଲି ଶେଷରେ ଡିସିପି ଅଫିସରେ ପହଞ୍ଚିଛନ୍ତି । କାରଣ ଦୀର୍ଘ ୩ ବର୍ଷ ତଳେ ରାଜଧାନୀକୁ କାମ ଖୋଜିବା ଆଳରେ ଆସିଥିଲେ କେନ୍ଦ୍ରାପଡା ମାର୍ଶାଘାଇର ଏକ ପରିବାର । ବାପା ସନ୍ତୋଷ ପ୍ରଧାନ ଓ ମାଆ ମନ୍ଦୋନ୍ଦରି ପ୍ରଧାନ । ନିଜ ୭ବର୍ଷର କୁନି ଝିଅକୁ ନେଇ ଆସିଥିଲେ ଭୁବନେଶ୍ବର । ସାଲିଆ ସାହିରେ ରହି ଏଠି ସେଠି ମିସ୍ତ୍ରୀ ଭାବେ କାମ କରୁଥିଲେ ।
ହେଲେ ଏହି ପରିବାର ଉପରେ ପଡିଥିଲା ମଞ୍ଚେଶ୍ବରର ଟୁନି ବିଶୋଇ ଓ ବାବୁଲି ବିଶୋଇଙ୍କ ଆଖି । ତାଙ୍କର ପିଲାପିଲି ନଥିବାରୁ ଏହି ପରିବାରକୁ ଆଣି ପାଖରେ ସାହାରା ଦେଇଥିଲେ । ଆଉ ତାଙ୍କୁ ତାଙ୍କ ପରିବାରର ଭାଇ କହି ପାଖରେ ରଖିଥିଲେ । ତାଙ୍କର ପିଲା ନଥିବାରୁ ସନ୍ତୋଷ ଓ ମନ୍ଦୋନ୍ଦରି ଝିଅକୁ ନିଜ ଝିଅ କହି ଲାଳନ ପାଳନ କରୁଥିଲେ । ହେଲେ ସନ୍ତୋଷ ଓ ତାଙ୍କ ପତ୍ନୀ ଗାଁକୁ ଯାଇଥିବା ବେଳେ କିଛି ଦିନ ପରେ ଭୁବନେଶ୍ବର ନିଜ ଝିଅକୁ ଦେଖିବା ପାଇଁ ଫେରିଥିଲେ । ମାତ୍ର ଘର ମାଲିକ ଦେଖାଦେଇନଥିଲେ ।