ଭୁବନେଶ୍ବର: ରାଜ୍ୟରେ 2019-20 ବର୍ଷର ବଜେଟରେ ପ୍ରାକ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା ପାଇଁ 10 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ପାଇଁ ବୈଜ୍ଞାନିକ ଉପକରଣମାନ ସ୍ଥାପନ କରାଯାଇଥିବା କଥା ମନ୍ତ୍ରୀ ବିଧାନସଭାର ପ୍ରଶ୍ନକାଳରେ ପ୍ରକାଶ କରିଛନ୍ତି ।
ଜାତୀୟ ବାତ୍ୟା ଆପତ୍ତ ପ୍ରଶମନ ପ୍ରକଳ୍ପ ଅଧୀନରେ ରାଜ୍ୟର 6ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ 162ଟି ପ୍ରାକ ସୂଚନା ବିତରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ସେହିପରି ଚଳିତ ବର୍ଷ ଏହା ପାଇଁ ବଜେଟରେ 10 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଅଧୀନରେ ରାଜ୍ୟ ଆପାତଃକାଳୀନ ପରିଚାଳନା କେନ୍ଦ୍ର 6ଟି ଉପକୂଳବର୍ତ୍ତୀ ଜିଲ୍ଲାର ସଦର ମହକୁମା, 22ଟି ଉପକୂଳବର୍ତ୍ତୀ ଜିଲ୍ଲାର ବ୍ଲକ ଓ 14 ଟି ମତ୍ସ୍ୟ ଅବତରଣ କେନ୍ଦ୍ର ମାନଙ୍କରେ ବିଭିନ୍ନ ଯନ୍ତ୍ରପାତି ସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।