ଭଦ୍ରକ :ତୁଟିଲା ପ୍ରଶାସନ ଓ ସେବା ସମବାୟ ସମିତି କର୍ମଚାରୀ ବିବାଦ। ଜାନୁଆରୀ 5 ତାରିଖରୁ ଆରମ୍ଭ ହେବ ଭଦ୍ରକ ଜିଲ୍ଲାରେ ଧାନ କିଣା। 10 ଦଫା ଦାବିନେଇ ବାଲେଶ୍ୱର-ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଚଳିତ ମାସ 3 ତାରିଖରୁ ଭଦ୍ରକ ଜିଲ୍ଲା ଅତିରିକ୍ତ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାରାଥନ ଆନ୍ଦୋଳନ ଜାରି ରହିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ସଂଘର କର୍ମକର୍ତ୍ତା ମାନଙ୍କ ସହିତ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯାଇ କେତେକ ଦାବିକୁ ପ୍ରଶାସନ ମାନି ନେଇଥିଲା । ଆଉ କେତେକ ଉପରେ ବିଚାର ବିମର୍ଷ ଚାଲୁ ରହିଥିବା ଜଣାଯାଇଛି।
ଫଳରେ ଚାଲୁଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଜିଲ୍ଲାରେ ଧାନ କିଣା ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ଖବର ଅନୁଯାୟୀ ଜିଲ୍ଲାର 2 ଜଣ ସେବା ସମବାୟ ସମିତିର ସମ୍ପାଦକଙ୍କ ନିଲମ୍ବନ ଆଦେଶ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଥିବା ବେଳେ 14 ଜଣ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସମ୍ପର୍କରେ ସମାଧାନ ହୋଇଥିବା ମଧ୍ୟ ଜଣାଯାଇଛି ।