ଭଦ୍ରକ: OPSC ପକ୍ଷରୁ ଆରମ୍ଭ ହେବାକୁ ଥିବା 2020 OAS ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 2019 OASର ଚୂଡାନ୍ତ ଫଳ ପ୍ରକାଶ ନକରି 2020 OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିବା କେତେ ଯୁକ୍ତିଯୁକ୍ତ ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଆଗରୁ ବହୁବାର ମଧ୍ୟ ସ୍ବର ଉତ୍ତୋଳନ କରିଥିଲେ ପରୀକ୍ଷାର୍ଥୀ ।
ଗତ 2018 OAS ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବା ପରେ 2019 OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଫଳରେ ଅନେକ ସଫଳ ପ୍ରାର୍ଥୀ ନିଜର ଇଚ୍ଛାନୁସାରେ ପଦବୀ ପାଇବା ପରେ ଅନାବଶ୍ୟକ ଭାବେ ପରବର୍ତ୍ତୀ ବର୍ଷର ପ୍ରାଥମିକ ପରୀକ୍ଷା ନ ଦେଇ ଅନ୍ୟ ଆଶାୟୀ ମାନଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲରେ ସହାୟକ ହୋଇଥିଲେ । ଏହିପରି ଢାଞ୍ଚାରେ UPSC ପକ୍ଷରୁ ପରୀକ୍ଷା ପରିଚାଳନା କରାଯାଏ। ତେବେ OPSC ଦୂରଦୃଷ୍ଟିହୀନ ହୋଇ ପୁରୁଣା ଢାଞ୍ଚାକୁ ପୁଣି ଫେରି ଯିବା ଅଶାୟୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି ।
ସୂଚନାନୁଯାୟୀ 2019 OAS ମୁଖ୍ୟ ପରୀକ୍ଷା 2021 ଜାନୁୟାରୀ 2 ତାରିଖରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ହୋଇନାହିଁ । ସାକ୍ଷାତକାର ପରୀକ୍ଷା ନହୋଇ ପାରିବାରୁ ମେଧା ତାଲିକା ପ୍ରକାଶ ନପାଇବା OPSCର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । COVID ସମୟରେ ମଧ୍ୟ ଉତ୍ତର ପ୍ରଦେଶ ଭଳି (UP PSC) ରାଜ୍ୟ, ସେମାନଙ୍କର ମେଧା ତାଲିକା ପ୍ରକାଶ କରି ସାରିଛନ୍ତି । OPSCର ମାତ୍ର 1500 ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେଇଥିବା ସୂଚନା ମିଳିଛି । 2020 OAS ପ୍ରଥମ ପରୀକ୍ଷା ହେବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି ।