ଭଦ୍ରକ:ଦଇବ ଦଉଡି ମଣିଷ ଗାଇ ଯେଣିକି ଟାଣଇ ସେଣିକି ଯାଇ । ଅର୍ଥାତ କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ସେଇଟା ହିଁ ଭଗବାନ ନିର୍ଣ୍ଣୟ କରିଥାନ୍ତି । ମଣିଷ ପରିସ୍ଥିତିର ଦାସ । କେତେବେଳେ ଯେ କଣ ଘଟିବ । ତାହା କେହି ଜାଣି ନଥାନ୍ତି । ଯେମିତି ଏକ ଘଟଣା ଭଦ୍ରକ ଜିଲ୍ଲାର ପେଡାସାହି ଗାଁରେ ଘଟିିଛି । ସ୍ତ୍ରୀର ଦଶାହ କାର୍ଯ୍ୟ ଚାଲିଥିବାବେଳେ, ଆଖି ବୁଜିଲା ସ୍ବାମୀ । ଆଉ ଅନାଥ ହୋଇଗଲେ ଦୁଇ ଭାଇଭଉଣୀ । ଏ ଘଟଣାକୁ ନେଇ ଏବେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।
ଅକାଳରେ ଚାଲିଗଲେ ବାପା ମାଆ, ଅସହାୟ ଅବସ୍ଥାରେ ଭାଇ ଭଉଣୀ ପେଡାସାହି ଗାଁର ନରହରି ପେଡା ଏବଂ ଇତିଶ୍ରୀ ପେଡା ହାତ ଧରା ଧରି ହୋଇ ନିଜର ସୁଖର ସଂସାର ଗଢ଼ିଥିଲେ । ସ୍ୱାମୀ ନରହରି ଗାଡି ଚାଳକ ଭାବରେ କାର୍ଯ୍ୟ କରନ୍ତି । ଯାହା ଅର୍ଥ ସେଥିରୁ ମିଳେ ସେଥିରେ ପରିବାର ଚଳେ । ତେଲ ଲୁଣର ସଂସାରେ ଦିନ ଘୋଟି ଆସିଲା କଳା ବାଦଲ । ହଠାତ ସ୍ତ୍ରୀ ଇତିଶ୍ରୀ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇଯାଇଥଲେ । ୨ ଝିଅପୁଅ କଥା ବୁଝିବା ସହ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଯଥା ସାଧ୍ୟ ଖର୍ଚ୍ଚ କରୁଥିଲେ ସ୍ବାମୀ ।
ଏହାମଧ୍ୟରେ ନରହରି ମଧ୍ୟ ସେହି ରୋଗରେ ପୀଡିତ ହେଲେ । ଫଳରେ ଶର୍ଯ୍ୟାଶାୟୀ ନରହରି ପେଡା ଆଉ ଚାଳକ କାର୍ଯ୍ୟ କରି ପାରିଲେ ନାହିଁ । ପରେ ଉଭୟଙ୍କ ଅବସ୍ଥା ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଇଥିଲା । ଆର୍ଥିକ ସମସ୍ୟା ହେତୁ ନରହରିଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ । ତେବେ ବହୁ ଚିକିତ୍ସା ପରେ ଶେଷରେ ଅଗଷ୍ଟ ମାସ 24 ତାରିଖରେ ସ୍ତ୍ରୀ ଇତିଶ୍ରୀ ଙ୍କର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଇତିଶ୍ରଙ୍କ ଦଶାହ କର୍ମ ପାଇଁ ସମସ୍ତ ପରିବାର ଲୋକେ ଘାଟରେ ଥିବାବେଳେ ସ୍ୱାମୀ ନରହରିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ରୋଗରେ ଆକ୍ରାନ୍ତ ହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀ 10 ଦିନ ବ୍ୟବଧାନରେ ଦୁନିଆରୁ ବିଦାୟ ନେଇଥିଲେ । ଗାଁ ଦାଣ୍ଡରେ କୋକେଇ ବନ୍ଧା ହୋଇ ନରହରିଙ୍କୁ ଶ୍ମଶାନକୁ ନେବାବେଳେ ଗାଁ ଦାଣ୍ତ କାନ୍ଦ ବୋବାଳିରେ ଫାଟି ପଡୁଛି । ବାପା ମାଆଙ୍କୁ ହରାଇ ଥିବା ଦୁଇ ଭାଇଭଉଣୀ ପିଲା ଏବେ ଅସହାୟ ହୋଇ ପଡିଛନ୍ତି । ବୟସ କମ ଯୋଗୁଁ ନା କିଛି ବୁଝି ପାରୁଛନ୍ତି ନା କହି ପାରୁଛନ୍ତି । ଝିଅ ସିନା ବାପା ଓ ମାଆଙ୍କ ମୃତ୍ୟୁକୁ ଦେଖି କାନ୍ଧୁଛି । ହେଲେ ୪ ବର୍ଷର ପୁଅ ଏବେ ମଧ୍ୟ କିଛି ଜାଣି ପାରୁ ନାହିଁ।
ଏହାବି ପଢନ୍ତୁ:ସାତସପନ ପାଲଟିଛି ସରକାରୀ ଯୋଜନା, କେବେ ମିଳିବ ସହାୟତା ?
ପ୍ରଥମେ ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ମୃତ୍ୟୁ ହେବା ଘଟଣାକୁ କେହିବି ସହଜରେ ଗ୍ରହଣ ଗ୍ରହଣ କରିପାରୁ ନାହାଁନ୍ତି । ଅନ୍ୟପକ୍ଷରେ ବାପା ମାଆଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି ଦୁଇ ପିଲା । ନରହରିଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁର ଲୋକେ ଏକାଠି ହୋଇ ଚାନ୍ଦା ସଂଗ୍ରହ କରିବେ । ସମସ୍ତଙ୍କ ସହଯୋଗରେ ଶୁଦ୍ଧିକ୍ରିୟା ହେବ ବୋଲି ଜଣାପଡିଛି ।
ସେପଟେ ଦୁଇ ପିଲାଙ୍କ ପାଇଁ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପରିବାର ଲୋକେ । ଦୁଇ ଅନାଥ ପିଲାଙ୍କର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୁଦ୍ଧିକ୍ରିୟା ପାଇଁ ରେଡ଼କ୍ରସ ପାଣ୍ଠିରୁ 10 ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଆଶ୍ରମ ସ୍କୁଲରେ ଦୁଇ ପିଲାଙ୍କ ଥଇଥାନ ସହ ପାଠପଢାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଦୁଇ ପିଲାଙ୍କର ସୁବିଧା ଅସୁବିଧା ବୁଝିବା ସହ ସମସ୍ତ ଦାୟିତ୍ୱ ବହନ କରିବ ଭଦ୍ରକ ଜିଲ୍ଲା ପ୍ରଶାସନ । ଜ଼ିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଉକ୍ତ ଘଟଣାରେ ଗାଁକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ଜଣାପଡିଛି ।
ଇଟିଭି ଭାରତ, ଭଦ୍ରକ