ଓଡିଶା

odisha

ETV Bharat / city

କୋରୋନା ଯୋଦ୍ଧା ଅଙ୍ଗନବାଡି ଦିଦି; ଅଧାରେ ହେଲେ ପଜିଟିଭ୍, ମେଡିକାଲରୁ ଫେରି କଲେ ସେବା - international womens day

ହାରିବ କୋରୋନା, ଜିତିବ ଦେଶ । ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଜୟ କରିବା ପାଇଁ ଅନେକ ଯୋଦ୍ଧାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ । ସେଥିମଧ୍ୟରୁ ତୃଣମୂଳସ୍ତରରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟ ବାସ୍ତବରେ ବାଃ ବାଃ ପାଇବା ଯୋଗ୍ୟ । ତେବେ ରାଜ୍ୟର ପ୍ରମୁଖ ମହିଳା କୋଭିଡ ଯୋଦ୍ଧାଙ୍କ କାହାଣୀକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ବୀରାଙ୍ଗନାରେ ଦେଖିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର କାର୍ଯ୍ୟରତ ଜଣେ କୋରୋନା ଯୋଦ୍ଧାଙ୍କ ସମ୍ପର୍କରେ...

କୋଭିଡ୍ ସହ ସ°ଗ୍ରାମ କରି ନିଜେ ପଜିଟିଭ୍ ସୈଦାମିନି
କୋଭିଡ୍ ସହ ସ°ଗ୍ରାମ କରି ନିଜେ ପଜିଟିଭ୍ ସୈଦାମିନି

By

Published : Mar 6, 2021, 6:07 PM IST

Updated : Mar 6, 2021, 6:31 PM IST

ବ୍ରହ୍ମପୁର:କାଳ ରୂପୀ କୋରୋନା ସଂକ୍ରମଣକୁ ଦେଶରେ କିପରି ରୋକା ଯାଇପାରିବ ? ତାକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାଉଣ୍ଡ ଜିରୋରେ ଅଙ୍ଗନାବାଡି କର୍ମୀଙ୍କ ପର୍ଯ୍ୟନ୍ତ ଜାରି ରହିଥିଲା ଉଦ୍ୟମ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ କଟକଣାର ବିଭିନ୍ନ ନିୟମ ନେଇ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନ କରିଥିଲେ ସ୍ୱାସ୍ଥକର୍ମୀଙ୍କ ଠାରୁ ଆରମ୍ଭ କରି ଆଶା ଓ ଅଙ୍ଗନାବାଡି କର୍ମୀ । ଏହାକୁ ବିଭିନ୍ନ ସ୍ତରରେ ଢେର ପ୍ରଶଂସା କରାଯାଇଛି ।

କୋରୋନା ଯୋଦ୍ଧା ଅଙ୍ଗନବାଡି ଦିଦି; ଅଧାରେ ହେଲେ ପଜିଟିଭ୍, ମେଡିକାଲରୁ ଫେରି କଲେ ସେବା

ସେମିତି ଜଣେ କୋରୋନା ଯୋଦ୍ଧା ହେଉଛନ୍ତି ସୌଦାମିନୀ ପଣ୍ଡା । ସାହାସ ଓ ସହୃଦୟତାର ଜଣେ ସାକ୍ଷାତ ଦେବୀ । ଯୁଦ୍ଧ କ୍ଷେତ୍ରରେ ତ ଅନେକ ଯୋଦ୍ଧା ଥିଲେ ହେଲେ ଏ ଯୋଦ୍ଧାଙ୍କ କାହାଣୀ ଅନନ୍ୟ । ସରକାରୀ କଳ, ବଳ ନୁହେଁ ବରଂ ନିର୍ଦ୍ଦେଶ ମାନି ନିଜର ପାରୁପର୍ଯ୍ୟନ୍ତ ତୁଲାଉ ଥିଲେ କାର୍ଯ୍ୟ । ଯେତେବେଳେ ଭାଇରସ ଭୟରେ ସମସ୍ତେ ଘରେ ରହୁଥିଲେ ବାହାରେ ରହି ସେ କରୁଥିଲେ ଜନସେବା । ଉଦୁ ଉଦିଆ ଖରାରେ ଛତା ଖଣ୍ଡେ ଧରି ସଚେତନତା ପାଇଁ ଘରୁ ବାହାରି ଯାଆନ୍ତି ଅଙ୍ଗନବାଡି କର୍ମୀ ସୌଦାମିନୀ ।

ତେବେ ଏହା ତାଙ୍କ ପାଇଁ ଏତେ ସହଜ ନଥିଲା । କୋରୋନା ଯୁଦ୍ଧ ଲଢିବା ଭିତରେ ସେ ନିଜେ ଭାଇରସର କରାୟତ ହୋଇଥିଲେ । ଆଉ ପରେ ପ୍ରଶାସନର ପରାମର୍ଶ ଅନୁଯାୟୀ ରହିଥିଲେ ସଙ୍ଗରୋଧ କେନ୍ଦ୍ରରେ । କିଛିଦିନ ଚିକିତ୍ସିତ ହେବା ପରେ ପୁଣି ଫେରିଥିଲେ କର୍ମକ୍ଷେତ୍ରକୁ । ନିଜ ଅଞ୍ଚଳରେ କିପରି ସାଧାରଣ ଜନତାଙ୍କୁ କୋଭିଡ ଠାରୁ ଦୂରେଇ ରଖିବେ ସେ ନେଇ ଜାରି ରଖିଥିଲେ ପ୍ରୟାସ। ସୌଦାମିନୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ ।

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳର ଶରତ ଚନ୍ଦ୍ର ପଣ୍ଡାଙ୍କ ଦ୍ବିତୀୟ କନ୍ୟା ସୌଦାମିନୀ । ୨୦୦୯ ମସିହାରେ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ସହରାଞ୍ଚଳ ସ୍ବେଚ୍ଛାସେବୀ ଅଙ୍ଗନାବାଡି କର୍ମୀ ଭାବରେ ନିଯୁକ୍ତି ପାଇଥିଲେ । ଏହାପର ଠାରୁ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଜଣେ ଆଦର୍ଶ ଅଙ୍ଗନାବାଡି କର୍ମୀ ଭାବରେ ସୌଦାମିନୀ କାର୍ଯ୍ୟ କରି ଆସିଛନ୍ତି ।

ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ଶିଶୁଙ୍କ ମା’ ପରି ଳାଳନ ପାଳନ ଠାରୁ, ଖାଦ୍ୟପେୟର ଯତ୍ନ ନିଅନ୍ତି ସେ । ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ନାଚି, ଖେଳି ତାଙ୍କୁ ମସଗୁଲ କରିନ୍ତି । ଏହାସହ ଅଞ୍ଚଳର ଜନସାଧାରଣଙ୍କୁ ସଚେତନତା ଠାରୁ ଆରମ୍ଭ କରି ସରକାରଙ୍କ ନିର୍ଦ୍ଦେଶରେ ସେ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି ।

ସେପଟେ ଏବେବି କୋରୋନାର ଭୟ ଯାଇନଥିବାରୁ ସମସ୍ତେ ସତର୍କ ହୋଇ ରହିବାକୁ ଆହ୍ୱାନ କରିଛନ୍ତି । କୋଭିଡ ଭଳି ଯୁଦ୍ଧରେ କୋରୋନାକୁ ହରାଇବା ପାଇଁ କାର୍ଯ୍ୟ କରି ଆସିଥିବା ଏହି କୋଭିଡ୍ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ରହିଥିବା ବେଳେ ଜଣେ ମହିଳା କୋଭିଡ୍ ଯୋଦ୍ଧା ଅଙ୍ଗନାବାଡି କର୍ମୀ ସୌଦାମିନୀ ପଣ୍ଡାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଟିଭି ଭାରତ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 6, 2021, 6:31 PM IST

ABOUT THE AUTHOR

...view details