ବ୍ରହ୍ମପୁର: ସୁନା ଚୋରି ଘଟଣାରେ ଚାକରାଣୀକୁ ଗିରଫ କଲା ପୋଲିସ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧିନସ୍ଥ ସ୍ଥାନୀୟ ୧୦ ନମ୍ବର ଓ୍ବାର୍ଡ ରାଜନଗର ଦ୍ବିତୀୟ ଲେନରେ ରହୁଥିବା ସମୀର କୁମାର ପାତ୍ରଙ୍କ ଘରୁ ସୁନା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ । ଏହି ମାମଲାରେ ଘରକୁ କାମ କରିବାକୁ ଯାଉଥିବା ଚାକରାଣୀ ତଥା ଦିଗପହଣ୍ଡି ବାସିନ୍ଦା ଲକ୍ଷ୍ମୀ ଗୌଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ ଗତ ୧୮ ତାରିଖ ଦିନ ସମୀରଙ୍କ ଭାଉଜ ଡ୍ରେସିଂ ଟେବୁଲ ଡ୍ର ରେ ରଖିଥିବା ପ୍ରାୟ ସାଢେ଼ ୩ ତୋଳା (୩୦ ଗ୍ରାମ)ଓଜନର ସୁନା ମଙ୍ଗଳସୂତ୍ର ଏବଂ ପ୍ରାୟ ଦେଢ ତୋଳା ୧୫ ଗ୍ରାମ ଓଜନର ସୁନାହାର ନଥିବା ଦେଖି ବ୍ୟତିବସ୍ତ ହୋଇପଡିଥିଲେ । ଘରର ବିଭିନ୍ନ ସ୍ଥାନ ଖୋଜାଖୋଜି କରି ନ ପାଇବା ପରେ କିଛି ଦିନେ ତଳେ ମୋବାଇଲ ଚୋରାଇ ଧରାପଡିଥିବା ଚାକରାଣୀ ଉପରେ ସନ୍ଦେହ କରି ଗତ ୨୨ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।