ଓଡିଶା

odisha

ETV Bharat / city

ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଜଳଯୋଗାଣ କର୍ମଚାରୀ - ବ୍ରହ୍ମପୁର ଜଳଯୋଗାଣ କର୍ମଚାରୀ

ବ୍ରହ୍ମପୁରରେ ଜଳଯୋଗାଣ କର୍ମଚାରୀ ବର୍ଷ ବର୍ଷ ଧରି ବିଭିନ୍ନ ଦାବି ପୂରଣ କରିବାକୁ କହିବା ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଜଳଯୋଗାଣ କର୍ମଚାରୀ ।

Water supply workers warned of a statewide strike
ଦାବି ପୂରଣ ନାଁରେ ମିଳିଲା ମିଛ ପ୍ରତିଶ୍ରୁତି,ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଜଳଯୋଗାଣ କର୍ମଚାରୀ

By

Published : Oct 14, 2020, 9:39 AM IST

ବ୍ରହ୍ମପୁର: ଦାବି ପୂରଣ କରିବା ନାଁରେ ମିଳିଲା ମିଛ ପ୍ରତିଶ୍ରୁତି । ଓଡିଶା ପାଇପ ଜଳ କର୍ମଚାରୀ ସଂଘ ପକ୍ଷରୁ ବର୍ଷ ବର୍ଷ ଧରି ବିଭିନ୍ନ ଦାବିକୁ ନେଇ ସରକାରଙ୍କୁ ଜଣାଇବା ପରେ ବି ପୂରଣ ହେଲାନି ଦାବି । ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଜଳଯୋଗାଣ କର୍ମଚାରୀ ।

ଦାବି ପୂରଣ ନାଁରେ ମିଳିଲା ମିଛ ପ୍ରତିଶ୍ରୁତି,ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଜଳଯୋଗାଣ କର୍ମଚାରୀ

ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଅବହେଳା କରାଯାଇ ଥିବା ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ରତିବାଦ କରାଯାଇଛି । ମୁଖ୍ୟତଃ ଜନସ୍ବାସ୍ଥ୍ୟ ବିଭାଗପରିମଳ ବିଭାଗରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଯୁକ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ୧୦୦ ଟଙ୍କା ପ୍ରୋତ୍ସାହନ ଭତ୍ତା ପ୍ରଦାନ କରିବା, ବିଭାଗ ଦ୍ବୟର ସମସ୍ତ ଓ୍ବାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ପ୍ରଦାନ ସହ ସ୍ଥିରୀକୃତ ପେନସନ୍ ପ୍ରଦାନ କରିବା , ବିଭାଗରେ ନିୟୋଜିତ ଠିକା କର୍ମଚାରୀ ଓ ଏସ୍ ଇ ଏମ୍ କର୍ମଚାରୀଙ୍କୁ ସରକାରଙ୍କ 'ଇ' ମାଷ୍ଟର ରୁଲ୍ ରେ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, କୋଭିଡ ମହାମାରୀରେ ସଂକ୍ରମିତ ହୋଇ ମୃତ୍ୟୁ ହେଉଥିବା ବିଭାଗୀୟ କର୍ମଚାରୀଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା, ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀଙ୍କୁ କ୍ୟାଡର୍ ରୁଲ୍ ସଂଶୋଧନ କରାଯାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା, ଆଉଟସୋର୍ସିଂ କର୍ମଚାରୀଙ୍କୁ ଉଚ୍ଚ କୁଶଳୀ ହାରରେ ବେତନ ପ୍ରଦାନ ସହ ଇ .ପି.ଏଫ୍. ଓ ଇ.ଏସ୍.ଆଇ.ବ୍ୟବସ୍ଥା ଲାଗୁ କରିବା, ଓ୍ବାଟକୋ ସଂସ୍ଥାରେ କାର୍ଯ୍ୟ କରାଇ ଜନସ୍ବାସ୍ଥ୍ୟ ବିଭାଗରୁ ବେତନ ମିଳୁଥିବାରୁ ଓ୍ବାଟକୋ ସଂସ୍ଥାରୁ ବେତନ ପ୍ରଦାନ କରିବା ଭଳି ପ୍ରମୁଖ ଦାବି ନେଇ ରାଜ୍ୟ ସରକାରଙ୍କ ସହ ସଂଘର ବହୁବାର ଆଲୋଚନା କରାଯାଇଛି।

ଅଥଚ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇ କର୍ମଚାରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସିଛନ୍ତି । ଏହାର ପ୍ରତିବାଦରେ ଦୀର୍ଘ ବର୍ଷ ହେଲା ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଆସୁଛି। କିନ୍ତୁ ରାଜ୍ୟ ସରକାର କେବଳ ଦାବି ପୂରଣ ନାଁରେ ମିଛ ପ୍ରତିଶ୍ରୁତି ଦେଇଆସୁଛନ୍ତି । ଏ ନେଇ ସଂଘ ପକ୍ଷରୁ ଆସନ୍ତା 16ତାରିଖରେ ଜନସ୍ବାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ 20ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ଏହା ପରେ ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତା 23ରୁ 26 ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ସଂଘ ।

ଦାବିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି , କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ପ୍ରମୁଖ ଯୋଗ ଦେଇ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ସର୍ମଥନ କରିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details