ବ୍ରହ୍ମପୁର:ରାଜ୍ୟରେ ପୁଣି ଜଣେ କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରୁରାଲ ୱାର୍କ ଡିଭିଜନ୍–୨ ରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୋଟ ପାଞ୍ଚୋଟି ସ୍ଥାନରେ ଚଢାଉ କରିବା ସମୟରେ ମିଳିଛି ଅନେକ ସମ୍ପତ୍ତି । ଦିନ ତମାମ ଖୋଳତାଡ ପରେ ଭିଜିଲାନ୍ସ ଟିମ ଠାବ କଲାଣି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ।
ଚଢାଉ ସମୟରେ ଭିଜିଲାନ୍ସ ବିଭାଗର ପାଞ୍ଚୋଟି ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ ଶକ୍ତିନଗର ଠାରେ ରହିଥିବା ତିନି ମହଲା ବିଶିଷ୍ଟ କୋଠା ସମେତ ବ୍ରହ୍ମପୁର ସହରର ନିମଖଣ୍ଡି ଏବଂ ଆମ୍ବପୁଅ ଅଞ୍ଚଳରେ ୫ଟି ପ୍ଲଟ ରହିଥିବା ଜାଣିବାକୁ ପାଇଛି । କେବଳ ସେତିକି ନୁହେଁ ୧୦ ଲକ୍ଷ ୪୬ ହଜାର ଟଙ୍କାର ବିଭିନ୍ନ କମ୍ପାନୀର ବୀମା ରାଶି ଦାଖଲ କରିଥିବାବେଳେ ଘର ମଧ୍ୟରୁ ମିଳିଥିବା ସୁନା ଓ ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଟିମ ।