ବ୍ରହ୍ମପୁର: କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ବରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିକାଶର ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫୦ ଟିକା ସହିତ ସମ୍ଭବତଃ କୋଭିଡ୍ -୧୯ ବିରୁଦ୍ଧରେ ଏକ ଟିକା ଆମ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ସର୍ବ ପ୍ରଥମ ହସ୍ତଗତ ହେବ । କୋଭିଡ୍ - ୧୯ ପାଇଁ ଟୀକାକରଣ ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ ଅନୁଯାୟୀ, ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦିଆଯିବ । ପରେ ଅନ୍ୟ ଆଗଧାଡିରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବୟସ୍କ ବର୍ଗଙ୍କୁ ଟୀକା ଦିଆଯିବ ।
ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପରିଚାଳନା କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇ କୋଭିଡ୍ ଟୀକାକରଣ, କୋଭିଡ୍ ଟୀକାକରଣ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକଳାପର ଯୋଜନା ତଥା କାର୍ଯ୍ୟକାରୀତା ତଥା କୋଭିଡ୍ ଟୀକା କରଣର ସମଗ୍ର ପ୍ରକ୍ରିୟାର ସାମଗ୍ରୀକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।
ସପ୍ତାହକ ମଧ୍ୟରେ ବ୍ଲକ୍ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟିକା ପରିଚାଳନା ଗତ ଯୋଜନା ପାଇଁ ଏବଂ ପ୍ରସ୍ତୁତିକୁ ଆହୁରି ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ବିଡିଓଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକା ପ୍ରବର୍ତ୍ତନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ରହିବେ। ସେହିପରି ସି.ଏଚ୍.ସି. ର ସ୍ବାସ୍ଥ୍ୟ ଅଧିକାରୀ କନଭେନିୟର୍ ରହିବେ । ସଭ୍ୟଭାବେ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ବ୍ଲକ୍ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଯୁବ ଅନୁଷ୍ଠାନର ପ୍ରତିନିଧି, ଏନସିସି, ନେହେରୁ ଯୁବ କେନ୍ଦ୍ର, ଏନ୍.ଏସ୍.ଏସ୍.ର ସଭ୍ୟ ଜଣେ ଜଣେ ରହିବେ ।