ବ୍ରହ୍ମପୁର:ଗଞ୍ଜାମରେ ନକଲି ବନ୍ଧୁକ ଦେଖାଇ ବିଦେଶୀ ମଦ ଦୋକାନ ମ୍ୟାନେଜରକୁ ହତ୍ୟା ଧମକ ଘଟଣା । ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ନକଲି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ କେ . ନୂଆଗାଁ ଥାନା ନୁଆପଡ଼ା ଗ୍ରାମର ଜି. ସାନ୍ତୁନ ରାଓ ଓ ଦିଗପହଣ୍ଡି ଅଞ୍ଚଳ କୋଲୋନୀର କେ . ବଳରାମ ପୃଷ୍ଟି । ସେମାନଙ୍କୁ ଗିରଫ ପରେ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ରବିବାର ସଟଡାଉନ ଯୋଗୁଁ ସବୁ ଦୋକାନ ବଜାର ପରି ଦିଗପହଣ୍ଡି ଥାନା ଘୋଡାହଡ ମୁଖ୍ୟ ରାସ୍ତାରେ ରହିଥିବା ଏକ ବିଦେଶୀ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା । ରାତି ପ୍ରାୟ ସାଢେ ୧୦ଟା ସମୟରେ ଦୁଇ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଦୋକାନ କବାଟ ବାଡେଇଥିଲେ । ମ୍ୟାନେଜର କୃଷ୍ଣଚନ୍ଦ୍ର ଚୌଧୁରୀ କବାଟ ଖୋଲିବା ପରେ ଦୁଇ ଅଭିଯୁକ୍ତ ମଦ ବାକିରେ ମାଗିଥିଲେ । ହେଲେ ସଟଡାଉନ ଯୋଗୁଁ ଦୋକାନ ବନ୍ଦ ରହିଥିବାରୁ ମଦ ଦିଆଯାଇ ପାରିବ ନାହିଁ ବୋଲି କୃଷ୍ଣଚନ୍ଦ୍ର କହିଥିଲେ ।