ବ୍ରହ୍ମପୁର: ଗୁରୁବାର ରାତ୍ର ପ୍ରାୟ ସମୟ ପାଖାପାଖି ୨ ଘଣ୍ଟା । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ପାଣିଗ୍ରାହୀ ସାହିରେ ରହୁଥିବା ସହରର ଆଗଧାଡିର ଟାଣୁଆ ନେତା ତଥା ବିସିସି ବ୍ୟାଙ୍କର ସଭାପତି ଆଲେଖ ଚୌଧୁରୀ ଘର ଘଟିଥିଲା ଅଗ୍ନିକାଣ୍ଡ । ଘର ମଧ୍ୟରେ ରହିଥିଲେ ଅଲେଖଙ୍କ ସମେତ ତାଙ୍କ ଧର୍ମପତ୍ନୀ ସୁଶମା, ୮୪ ବର୍ଷୀୟ ରୋଗାଗ୍ରସ୍ତ ଶାଳକ ଭଗବାନ ପାତ୍ର ଏବଂ କେୟାର ଟେକର୍ ୧୯ ବର୍ଷୀୟ ସୁନିଲ ସାହୁ । ଉପର ଘରେ ନିଆଁ ଲାଗିଥିବା ଦେଖି ନିଜର ପତ୍ନୀଙ୍କୁ ପ୍ରଥମେ ଘରୁ ବାହାରକୁ ଆଣି ଛାଡିବା ପରେ ଘରର ବଡ ପୁଅଙ୍କୁ ଫୋନ୍ କରି ନିଆଁ ଲାଗିଥିବା ବିଷୟ ଅବଗତ କରାଇଥିଲେ ଅଲେଖ । ଏହାପରେ ଘର ମଧ୍ୟରେ ରହିଯାଇଥିବା କ୍ୟାନସରରେ ପୀଡିତ ଶାଳକ ଭଗବାନ ଓ କେୟାର ଟେକର୍ ସୁନିଲକୁ ପୁଣି ଘର ମଧ୍ୟକୁ ପଶିଯାଇଥିଲେ ଏହି ଟାଣୁଆ ନେତା । ଏହି ସମୟରେ ଘରସାରା ବ୍ୟାପିଯାଇଥିଲା ଧୂଆଁ । ଆଉ ଏହାରି ମଧ୍ୟରେ ଶ୍ବାସରୂଦ୍ଧ ହୋଇ ରହିଯାଇଥିଲେ ତିନି ଜଣ ।
ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ । ଶ୍ବାସରୁଦ୍ଧ ହୋଇ ଏଭଳି ମୃତ୍ୟୁ ଘଟିଥିବା କହିଛନ୍ତି ଅଲେକଙ୍କ ପୁଅ । ସେପଟେ ଅଲେଖଙ୍କର ଏଭଳି ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ଛୁଟିଥିଲେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ରାଜନେତାଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ବେଳେ ପୋଲିସ ଉପସ୍ଥିତିରେ ଅଲେଖଙ୍କ ସମେତ ଅନ୍ୟ ତିନି ଜଣଙ୍କ ମୃତଦେହକୁ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।