ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କମିବାରେ ଲାଗିଛି କୋଭିଡ ସଂକ୍ରମଣ । ରାଜ୍ୟ ସରକାରଙ୍କ ଲକଡାଉନ କଟକଣାକୁ ଜିଲ୍ଲାବାସୀ ଅଧିକ ମାତ୍ରାରେ ସହଯୋଗ କରିଥିବା ଯୋଗୁଁ ଏଭଳି ସଫଳତା ମିଳିଥିବା ଦେଖାଯାଇଛି । ସେପଟେ କୋଭିଡର ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ଶିଶୁମାନଙ୍କୁ ଅଧିକ ସତର୍କତା ସହକାରେ ରହିବାକୁ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏମକେସିଜି ମେଡିକାଲରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ଆଜି(ବୁଧବାର) ଠାରୁ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ୍ ଲକ୍ଷଣ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ଠାରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଙ୍ଗଳବାର ଏକ ଭିଡିଓ କନଫରେନ୍ସିଂ ଆଲୋଚନାରେ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଆଜି(ବୁଧବାର) ଠାରୁ ଏହି କାର୍ଯ୍ୟକ୍ରମରେ ଏଏନଏମ୍, ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶା କର୍ମୀମାନଙ୍କୁ ବ୍ଲକ୍ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଉତ୍ତମ ମାନର ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଲକ୍ଷଣ, ଅକ୍ସିଜେନ ସ୍ତର ଯାଞ୍ଚ କାର୍ଯ୍ୟ ଇତ୍ୟାଦି କୋଭିଡ୍ କଟକଣା ଅନୁଯାୟୀ କରାଯିବ । ସଂକ୍ରମଣରୁ ଶିଶୁମାନଙ୍କୁ ସୁରକ୍ଷା ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ । ଲକ୍ଷଣ ଯୁକ୍ତ ଶିଶୁମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଯୋଗାଣ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।