ବ୍ରହ୍ମପୁର: ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ବେଳେ ଏସଟିଏଫର ଚଢାଉ। ଗଞ୍ଜାମର ସାନଘାଟିରେ ଚଢାଉ କରି ୩୨ ଟନରୁ ଉର୍ଦ୍ଧ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ସମେତ ଟ୍ରକ, ଜେସିବି ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥି ସହ ୭ଜଣଙ୍କୁ ଗିରଫ କରିଛି ଏସଟିଏଫ । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଅଞ୍ଚଳରେ ହାର୍ଡ କୋକ୍ ନାମକ ଲଘୁ ଖଣିଜ ଦ୍ରବ୍ୟ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସ୍ପେଶାଲ ଟାସ୍କ ଫୋର୍ସ ।
ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରି ୩୩ ଟନରୁ ଉର୍ଦ୍ଧ ପରିମାଣର ଲଘୁ ଖଣିଜ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଥିଲା । ୭ ଅଭିଯୁକ୍ତ ହେଉଛନ୍ତି କଟକ ଗୁରଝଟିଆ ଥାନା ଅଞ୍ଚଳର ସରୋଜ ସାହୁ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ବଳିଆ ନାୟକ, ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଉତ୍ତମ ବେହେରା, ମଧ୍ୟପ୍ରଦେଶ ଯୌଧପୁରର ଶିବମ ଶର୍ମା, ଇନ୍ଦୋରର ହରି ସିଙ୍ଗ, ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ରାମ ଲୋହାର ଏବଂ ଟିଟଲି ଜିଲ୍ଲାର ଇସରାଇଲ ୱାସିର ମହମ୍ମଦ ।
ଲଘୁ ଖଣିଜ ଦ୍ରବ୍ୟ ସମେତ ଦୁଇଟି ଟ୍ରକ, ଗୋଟିଏ ଜେସିବି ମେସିନ ମଧ୍ୟ ଜବତ କରିଛି STF । ଏନେଇ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ହାର୍ଡ କୋକ୍ ନାମକ ଲଘୁ ଖଣିଜ ଦ୍ରବ୍ୟ କେଉଁଠାରୁ ଆସୁଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।