ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ବେଆଇନ ବାଲି ଚାଲାଣକୁ ନେଇ ଗାଡି ପୋଡି ଘଟଣାରେ କିଛି ବ୍ୟକ୍ତିବିଶେଷଙ୍କୁ ଥାନାରେ ଅଟକ ରଖିବା ଏବଂ ପରେ ପୋଲିସ ଜନତା ମୁହାଁମୁହିଁ ଘଟଣାର ଅନୁଧ୍ୟାନ ପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗଞ୍ଜାମ କୋଳିଦାସପୁର ଗ୍ରାମ ଗସ୍ତ କରିବା ସହ ଜିଲ୍ଲା ପ୍ରଶାସନକୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇଛନ୍ତି ।
ବିଜେପି ରାଜ୍ୟ ଉପ-ସଭାପତି ଭୃଗୁବକ୍ସି ପାତ୍ରଙ୍କ ନେତୃତ୍ୱରେ ଆସିଥିବା ଏଗାର ଜଣିଆ ଦଳର ବରିଷ୍ଠ ନେତୃବୃନ୍ଦ କୋଳିଦାସପୁର ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ଋଷିକୁଲ୍ୟ ନଦୀ ପଠା ପରିଦର୍ଶନ କରିଥିଲେ । ଏହା ପରେ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଜିଲ୍ଲାରେ ବେଆଇନ ଭାବରେ ବାଲି ଚାଲାଣ କରୁଥିବା ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।