ବ୍ରହ୍ମପୁର: ରାଜ୍ୟର ଏକ ପ୍ରମୁଖ ଆମ୍ବ ବଜାର ହେଉଛି ରେଶମ ସହର ବ୍ରହ୍ମପୁର । ଏହି ସହର ଆମ୍ବ ବଜାରରେ ଗ୍ରାହକଙ୍କୁ ବିଭିନ୍ନ କିସମର ଆମ୍ବ ମିଳିଯାଏ । ହଜାର ହଜାର କିଲୋଗ୍ରାମ ଓଜନର ଆମ୍ବ ସାରା ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ବଜାରକୁ ରପ୍ତାନୀ ହେଉଥିବା ନଜିର ରହିଛି । ଏଣୁ ପ୍ରତେକ ବର୍ଷ ଖରା ଦିନେ ରାଜ୍ୟ ଓ ରାଜ୍ୟ ବାହାରୁ ଆଦାୟ ହେଉଥିବା ବିଭିନ୍ନ କିଶମର ଆମ୍ବକୁ ନେଇ ବ୍ରହ୍ମପୁରରେ ଖୋଲିଥାଏ ସ୍ବତନ୍ତ୍ର ବଜାର ।
ଫଳ ମାନଙ୍କ ମଧ୍ୟରେ ରାଜାର ମାନ୍ୟତା ପାଇଛି ଆମ୍ବ । ଏହି ସୁସ୍ବାଦୁ ଫଳକୁ ଦେଖିଲା ମାତ୍ର ସଭିଙ୍କ ମୁହଁକୁ ପାଣି ଆସିଯାଏ । ଏଭଳି ଆମ୍ବ ପ୍ରେମୀଙ୍କୁ ବ୍ରହ୍ମପୁରର ସ୍ବତନ୍ତ୍ର ଆମ୍ବ ବଜାରରେ ଦେଖିବାକୁ ମିଳିବ । ଏହି ବଜାରରେ ଆଖୁରସ ଆମ୍ୱ ଠାରୁ ଆରମ୍ଭ କରି ବାଇଗଣପଲ୍ଲୀ , ସୁନ୍ଦରୀ ,କଲମ୍ବି, ସୁବର୍ଣ୍ଣରେଖା ,ଅମୃତକଳସୀ , ଅମରାପଲ୍ଲୀ , ଗ୍ରୋସେରୀ ,ଆଲଫାନ୍ସ ,ଲେଙ୍ଗାଡା ଏବଂ କଲକ୍ଟର ଭଳି ଆମ୍ବ ଉପଲବ୍ଧ ।
ବ୍ରହ୍ମପୁର ସହରରେ ବହୁ ବର୍ଷ ଧରି ଆମ୍ବ ବ୍ୟବସାୟ ହୋଇ ଆସୁଛି । ପୂର୍ବରୁ ପୁରୁଣା ବସଷ୍ଟାଣ୍ଟ ନିକଟସ୍ଥ ଚର୍ଚ୍ଚ ପଡ଼ିଆରେ ଏହି ବ୍ୟବସାୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଅନ୍ଧପସରା ରୋଡରେ ଏହି ବଜାର ଆରମ୍ଭ ହୋଇଛି । ଏହି ସ୍ବତନ୍ତ୍ର ଆମ୍ବବଜାର ପ୍ରତ୍ୟେକ ସିଜିନରେ ଚାରି ମାସରୁ ଉର୍ଦ୍ଧ ସମୟ ଧରି ଜମିଥାଏ ବ୍ୟବସାୟ ।