ବ୍ରହ୍ମପୁର: ଓଡିଶା ବିଦ୍ୟୁତ ସଂସ୍କାର ଆଇନ ୧୯୯୫ ଓ ବିଦ୍ୟୁତ ଆଇନ ୨୦୦୩ ଅନୁସାରେ ଦକ୍ଷିଣ ଓଡିଶାର ବିଦ୍ୟୁତ ବଣ୍ଟନ ଓ ପରିଚାଳନା କରିଆସୁଥିବା ସାଉଥକୋର ୫୧ ପ୍ରତିଶତ ମାଲିକାନା ସର୍ତ୍ତ ଟାଟା ପାୱାର ଉପରେ ନ୍ୟସ୍ତ କରାଯାଇଥିବା ଓଇଆରସିର ୱେବସାଇଟରେ ପ୍ରକାଶ ପାଇଛି । ଯେଉଁଥିରେ ବିଦ୍ୟୁତ ଆଇନର ଧାରା ୨୧ ଅନୁଯାୟୀ ଟାଟା ପାୱାରକୁ ସମ୍ପୂର୍ଣ୍ଣ ପୁଞ୍ଜିର ୫୧ ପ୍ରତିଶତ ଅଂଶଧନ କ୍ରୟ କରିବା ପାଇଁ ଅନୁରୋଧ କରାଯାଇଛି । ହେଲେ କର୍ମଚାରୀମାନଙ୍କର ୧୦ ପ୍ରତିଶତ ଅଂଶଧନକୁ ନରଖି ସରକାର ଓ କମ୍ପାନୀ ଭାଗବଣ୍ଟା କରାଯାଇଛି । ଯାହାକୁ ନିୟମର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ଆଣିଛି ସାଉଥକୋ ଏମ୍ପ୍ଳୋଇଜ ଇଞ୍ଜିନିୟର ଅଫିସର ଏକତା ମଞ୍ଚ । ବ୍ରହ୍ମପୁର ଠାରେ ଏନେଇ ଆୟୋଜିତ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ବିଭିନ୍ନ ଦାବିକୁ ଉପସ୍ଥାପନ କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ନ କରାଯାଇ ଅତ୍ୟନ୍ତ ତରବରିଆ ଭାବରେ ଶାଗମାଛ ଦରରେ ଏକ ଘରୋଇ କମ୍ପାନୀକୁ ଟେକି ଦେବା ଦ୍ବାରା ରାଜ୍ୟର ବିଦ୍ୟୁତ ଭଳି ଅତି ଆବଶ୍ୟକ ସଂସ୍ଥାର ଭବିଷ୍ୟତ ଅନ୍ଧାରକୁ ଠେଲି ଦେଲା ଭଳି ମନେ ହେଉଥିବା କୁହାଯାଇଛି । ଏଣୁ ଏହି ପରିପ୍ରେକ୍ଷୀରେ ଟାଟା ପାୱାରଠୁ ସାଉଥକୋ ୟୁଟିଲିଟିର ନାମ ପରିବର୍ତ୍ତନ ହେବ ନାହିଁ, ଶ୍ରମିକ ଅଫିସର ଓ କର୍ମଚାରୀଙ୍କ ପୂର୍ବ ଚାକିରିର ସର୍ତ୍ତାବଳୀ, ଓଡିଶା ସରକାରଙ୍କ ସର୍ଭିସ କୋର୍ଡ, ମଜୁରୀ ନିର୍ଦ୍ଧାରଣ ସର୍ତ୍ତାବଳୀ, ପେନସନ, ଗ୍ରାଚୁଇଟି ଇତ୍ୟାଦି ଯାହା ଚାଲି ଆସିଛି ତାହାର ଏକ ଆଡପସନ ସର୍କୁଲାର ଟାଟା ପାଓ୍ବାର ବାହାର କରିବା ପାଇଁ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି ।