ବ୍ରହ୍ମପୁର: ଗୁଣିଗାରେଡ଼ି ଭଳି କୁପ୍ରଥା ବିରୋଧରେ ସ୍ବରୋତ୍ତୋଳନ କରିବା ଓ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଗୁଣିଗାରେଡ଼ି ନେଇ ମହିଳାଙ୍କ ପ୍ରତି ହିଂସା ହେଉଥିବା ଖବରକୁ ଯିଏ ପ୍ରଶାସନର ନଜରକୁ ଆଣିବେ ଉକ୍ତ ଖବରଦାତାଙ୍କୁ ୫୦ହଜାର ଟଙ୍କା ନଗଦରାଶି ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି।
ଏହି ଅବସରରେ କୁଲାଙ୍ଗେ କହିଥିଲେ ଯେ, ଆମେ ମାନେ ସ୍ତ୍ରୀ ଓ ପୁରୁଷ ମାନଙ୍କ ସମାନତା କଥା କହୁଛେ । ମହିଳା ମାନଙ୍କ ସ୍ୱତନ୍ତ୍ର ଉତ୍ସବ ପାଳନ ଅପେକ୍ଷା ବର୍ଷର ୩୬୫ ଦିନ ଯଦି ନାରୀଙ୍କୁ ସମ୍ମାନ ଦେବା, ସମାଜ ଗଠନ ତଥା ଦେଶ ଗଠନରେ ନାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା ଚିନ୍ତା କରିବା ତେବେ ଯାଇ ଏହି ଉତ୍ସବ ପାଳନ ଆବଶ୍ୟକତା ରହିବନାହିଁ । ଯେଉଁ ଦିନ ପୁରୁଷ ସହିତ ନାରୀ ମଧ୍ୟ ସମକକ୍ଷ ଓ ଭାଗିଦାରୀ ହୋଇପାରିବ ସେହି ଦିନ ଠାରୁ ଏଭଳି ମହିଳା ଦିବସର ପାଳନ ଜରୁରୀ ହେବ ନାହିଁ ।
ଶିକ୍ଷାରୁ ହିଁ ନାରୀ ଶକ୍ତି ସଶକ୍ତ ହୋଇପାରିବେ । ସେମାନଙ୍କୁ ଉଚିତ୍ ଶିକ୍ଷା ବ୍ୟବସ୍ଥା କରି ଗଢି ପାରିଲେ ସେମାନେ ନିଜେ ନିଜେ ସ୍ୱାବଲମ୍ବୀ ହେବେ ଏବଂ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଜିଲ୍ଲାରେ ମୋ ଗେହ୍ଲା ଝିଅ ଠାରୁ ଆରମ୍ଭ କରି ନିର୍ଭୟା କଢି ଭଳି ଯେତେ ସବୁ ଯୋଜନା ରହିଛି ଆଗାମୀ ଦିନ ଠାରୁ ଜିଲ୍ଲାରେ ସେହି କାର୍ଯ୍ୟକୁ ଆହୁରୀ ସୁଦୃଢ କରିବାକୁ ହେବ ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ମାନିତ ଅତିଥି ଖେସ୍ ନାରୀ ଜାଗରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଶିଶୁ କଲ୍ୟାଣ କମିଟି ସଦସ୍ୟା ସି. ଏଚ୍. ଜ୍ୟୋତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବ୍ରତ କୁମାର ଶଡଙ୍ଗୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଛତ୍ରପୁର କ୍ରିଷ୍ଣା କୁମାରୀ ନନ୍ଦ, ଶିଶୁ ବିକାଶ ଯୋଜନା ଅଧିକାରୀ ଗଞ୍ଜାମ ସଲିଳା ପ୍ରଧାନ, ଶିଶୁ ବିକାଶ ଯୋଜନା ଅଧିକାରୀ କୁକୁଡାଖଣ୍ଡି କୁସୁମ ସାହୁ ପ୍ରମୁଖ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆବଶ୍ୟକତା ଦିଗରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।