ବ୍ରହ୍ମପୁର: ସହରକୁ ସବୁଜ, ସୁନ୍ଦର ରଖିବାକୁ ଜାରି ରହିଛି ପ୍ରୟାସ । ସେପଟେ ଦିନକୁ ଦିନ ରାଜ୍ୟର ଏହି ପୁରାତନ ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ସହରର ପ୍ରମୁଖ ରାସ୍ତାରେ ବୃକ୍ଷରୋପଣ କରିବା ଠାରୁ ଆରମ୍ଭ କରି ପ୍ରମୁଖ ଛକକୁ ଆକର୍ଷଣୀୟ କରିବା ପାଇଁ ଜାରି ରହିଛି ବିଭିନ୍ନ ପ୍ରକଳ୍ପ । ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ଏପରି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ସହାୟତା କରିବାକୁ ଆଗେଇ ଆସୁଛନ୍ତି ସମସ୍ତେ ।
ସଜେଇ ହଉଛି ରେଶମ ସହର,ଚାଲିଛି ଏକାଧିକ ସୌନ୍ଦର୍ଯ୍ୟକରଣ କାମ ରାଜ୍ୟର ପୁରାତନ ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେଉଁଠି ସ୍ଥାପନ କରାଗଲାଣି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ତ ଆଉ କେଉଁଠି ଅଦରକାରୀ ଲୁହାକୁ ନେଇ ପ୍ରସ୍ତୁତ ହୋଇଥିବା ଓଡିଶାର ମାନଚିତ୍ର ପ୍ରତିକୃତିକୁ ପ୍ରମୁଖ ଛକରେ ସ୍ଥାପନ କରାଯାଇ ଶୋଭାବର୍ଦ୍ଧନ କରାଗଲାଣି । ଏପରିକି ସହରର ମୁଖ୍ୟ ରାସ୍ତାର ଡିଭାଇଡର ପ୍ରସ୍ତୁତ କରି ସେଥିରେ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷରୋପଣ କରାଗଲାଣି। ରେଶମ ସହର ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ପାଇଁ ମହାନଗର ନିଗମ ପକ୍ଷରୁ ଇତିମଧ୍ୟରେ ଗ୍ରହଣ କରାଗଲାଣି ବିଭିନ୍ନ ପଦକ୍ଷେପ ।
ଅନ୍ୟପଟେ ସହରର ଇଞ୍ଜିନିୟରିଂ ସ୍କୁଲ ଛକରୁ ହଟାଯାଇଛି ବିଭିନ୍ନ ସଂଗୃହିତ ଆବର୍ଜନାରେ ପ୍ରସ୍ତୁତ ଚିଙ୍ଗୁଡ଼ି ପ୍ରତିକୃତି । ତା ବଦଳରେ ପ୍ରସ୍ତୁତ ଓଡ଼ିଶା ମ୍ୟାପ୍ ପ୍ରତିକୃତିକୁ ଇତିମଧ୍ୟରେ କରାଯାଇଛି ସ୍ଥାପନ। ଯାହାର ଓସାର ୩୦ ଫୁଟ, ଉଚ୍ଚତା ୨୫ ଫୁଟ ଏବଂ ଓଜନ ପ୍ରାୟ ୧୦୪ ଟନରୁ ଅଧିକ ରହିଛି । ବିଭିନ୍ନ ଆବର୍ଜନାରୁ ପ୍ରସ୍ତୁତ ଏହି ମ୍ୟାପ୍କୁ ରାଜ୍ୟରେ ସର୍ବୋଚ୍ଚ ସ୍କ୍ରାପ୍ ଓଡ଼ିଶା ମାନଚିତ୍ର ବୋଲି କୁହାଯାଉଥିବା ବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି ସହରର ଆଇଟିଆଇ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଓ ଶିକ୍ଷକ।
ଏଥିସହ ସହରର ଏକାଧିକ ସ୍ଥାନରେ ବିଭିନ୍ନ ମୂର୍ତ୍ତି ସ୍ଥାପନ ସହ ବିଭିନ୍ନ ପ୍ରାଚୀରରେ ସୁନ୍ଦର ସୁନ୍ଦର ଚିତ୍ର କରି ରଙ୍ଗଦେବା ଭଳି ବିଭିନ୍ନ ଦିଗରେ ଗୁରୁତ୍ୱ ଦିଆଯାଉଛି । ସେପଟେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କଙ୍କ କହିବା କଥା ୨୦୦୮ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲଟିକୁ ରାଜ୍ୟ ସରକାର ମହାନଗର ନିଗମ ଘୋଷଣା କରିବା ପରଠାରୁ ଏଠାରେ ସହରକୁ ସବୁଜ ସୁନ୍ଦର କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ମୁଖ୍ୟତଃ ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ ଜାରି ରଖିବା ପାଇଁ ଏଭଳି ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ସହରର ପ୍ରମୁଖ ସ୍ଥାନରେ ନିର୍ମାଣ କରାଯାଇଛି ଅନେକ ୱାଟର ଫାଉଣ୍ଟେନ୍। ସେପଟେ ପ୍ରଶାସନର ଏପରି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ସହଯୋଗ ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି ସହରବାସୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ