ବ୍ରହ୍ମପୁର: ପାଖେଇ ଆସୁଛି ଗଣେଶ ପୂଜା । ବିଘ୍ନରାଜଙ୍କ ଧରାବତରଣ ପରେ ଚିକମିକ୍ ଆଲୁଅରେ ଝଲସିବ ଗାଁ ଠୁ ସହର, ଉତ୍ସବ ମୁଖର ହୋଇ ଉଠିବ ପରିବେଶ । ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଗଣେଶ ପୂଜା ଫିକା ପଡିଥିବା ବେଳେ ଚଳିତବର୍ଷ ସର୍ବସାଧାରଣରେ ପୂଜା ପାଇବେ ପାର୍ବତୀ ନନ୍ଦନ ଶ୍ରୀ ଗଜାନନ । ଗଣେଶ ପୂଜାକୁ ଆଉ ଖୁବ କମ ଦିନ ଥିବାରୁ ଏବେ ମୂର୍ତ୍ତି ପ୍ରସ୍ତୁତ କରିବାରେ ଦିନ ରାତି ଏକ କରି ଦେଇଛନ୍ତି କାରିଗର । ତୁଳି ଧରି ଲାଗି ପଡିଛନ୍ତି କାମରେ । କେଉଁଠି ଖଡି ରଙ୍ଗତ ଆଉ କେଉଁଠି ଚାଲିଛି ମୂର୍ତ୍ତି ତିଆରି ।
ଚଳିତ ବର୍ଷ ବ୍ରହ୍ମପୁରରେ ସର୍ବସାଧାରଣରେ ପୂଜା ପାଇବେ ଅଗ୍ରପୂଜ୍ୟ । ଏନେଇ କାରିଗର ମାନେ ମୂର୍ତ୍ତି କାର୍ଯ୍ୟରେ ନିଜକୁ ନିମଗ୍ନ କରିଦେଇଛନ୍ତି । କାରିଗରଙ୍କ ତୁଳିରେ ଜୀବନ୍ତ ହେଉଛନ୍ତି ପାର୍ବତୀ ନନ୍ଦନ । ଚଳିତଥର ବ୍ରହ୍ମପୁର ସହରରେ ଗଜାନନଙ୍କୁ ବିଭିନ୍ନ ରୂପ ଦିଆଯାଇଛି । ପୂଜା ମଣ୍ଡପ ଗୁଡିକରେ ତିରୁପତି ବାଲାଜି, ସାଇବାବା, ନୃସିଂହ ଅବତାର ଭଳି ମୂର୍ତ୍ତି ଆକର୍ଷଣୀୟ ରହିବ ବୋଲି କୁହାଯାଇଛି ।
ସର୍ବସାଧାରଣରେ ଗଣେଶ ପୂଜାକୁ ଅନୁମତି ମିଳିବା ପରେ କାରିଗର ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ଛୋଟ ଛୋଟ ମୂର୍ତ୍ତି ପ୍ରସ୍ତୁତ କରୁଥିବା କାରିଗର ଚଳିତ ବର୍ଷ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରି ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି । ପାଞ୍ଚରୁ ସାତ ପ୍ରକାର ମାଟିକୁ ମିଶ୍ରଣ କରିବା ସହ ନଡା, ସୁତୁଲି,ରାସାୟନିକ ରଙ୍ଗବଦଳରେ ଆପୁଚି ଅଠା, ଖଡି କଲର ବ୍ୟବହାର କରି ବଡ ବଡ ମୂର୍ତ୍ତି ନିର୍ମାଣ କରୁଛନ୍ତି ।