ବ୍ରହ୍ମପୁର: ଦୀର୍ଘ ନଅ ମାସର ବ୍ୟବଧାନ ପରେ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଖୋଲାଯାଇଛି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ହେଲେ କୋରୋନା କାଳରେ ସରକାରୀ ବିଦ୍ୟାଳୟର ଦୈନିକ ପରିମଳ ଏବଂ ସ୍ବଚ୍ଛତା ଭଳି କ୍ଷେତ୍ରରେ ପ୍ରତ୍ୟେକ ସମୟରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ସରକାରୀ ବିଦ୍ୟାଳୟ ଗୁଡିକରେ ନିର୍ଦ୍ଦିଷ୍ଟ ଭାବରେ ସାନିଟାରୀ କର୍ମଚାରୀ ନିଯୁକ୍ତ ନଥିବାରୁ ବିଦ୍ୟାଳୟ ପକ୍ଷରୁ ଏହାକୁ ନିଜର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକୁ ସମ୍ପାଦନା କରାଯାଉଛି । ଗୋଟିଏପଟେ ବହୁ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା କୋର୍ସକୁ ଶେଷ କରିବା ସହିତ ଅନ୍ୟପଟେ ପ୍ରତ୍ୟେକ ବିଦ୍ୟାର୍ଥୀ ଯେପରି ସୁରକ୍ଷିତ ଭାବରେ ରହିବେ ସେନେଇ ଅଧିକ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏବଂ ଦାୟିତ୍ବରେ ରହିଥିବା ଶିକ୍ଷକମାନେ ।
ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ଆସିବା ପୂର୍ବରୁ ଫାଟକ ସମୁଖରେ ହ୍ୟାଣ୍ଡ ସାନିଟାଇଜ୍ କରିବା ସହିତ ଥର୍ମାଲ୍ ସ୍କ୍ରିନିଂ ପରେ ବିଦ୍ୟାଳୟରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ କରାଯିବା ନେଇ ବିଦ୍ୟାଳୟରେ ସ୍ବଚ୍ଛତା କମିଟି ପକ୍ଷରୁ ଆବଶ୍ୟକ ପଡିଲେ ମ୍ୟୁନିସିପାଲିଟି ପରିମଳ କର୍ମଚାରୀମାନଙ୍କୁ ମଧ୍ୟ ବ୍ୟବହାର କରାଯାଉଥିବା କୁହାଯାଇଛି । ଏପରିକି ପରିମଳ କାର୍ଯ୍ୟରେ କୌଣସି ବିଦ୍ୟାର୍ଥୀଙ୍କୁ ଯେପରି ସାମିଲ କରାନଯାଏ ଏଥିପ୍ରତି ବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ବିଦ୍ୟାଳୟର ଏଭଳି ବ୍ୟବସ୍ଥାକୁ ନେଇ ବିଦ୍ୟାର୍ଥୀ ମଧ୍ୟ ବେଶ ଖୁସିଥିବା କହିଛନ୍ତି ।