ବ୍ରହ୍ମପୁର:ହାତ ପାହାନ୍ତରେ ପାନୀୟ ଜଳ ପ୍ରକଳ୍ପ, ହେଲେ ଗ୍ରାମବାସୀଙ୍କୁ ମିଳୁନି ପାନୀୟ ଜଳ । ଏହାକୁ ନେଇ ବାରମ୍ୱାର ଆପତ୍ତି ଅଭିଯୋଗ ଜଣାଇବା ପରେ ଶେଷରେ ପ୍ରତିବାଦରେ ଟାୟର ଜାଳି ରାସ୍ତାରୋକ କରିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀ । ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ପାନୀୟ ଜଳ ସମସ୍ୟା । ଯାହାକୁ ନେଇ ଜଗଦଳପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳ ବାସିନ୍ଦା ପାନୀୟ ଜଳ ଯୋଗାଣ ଦାବୀରେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।
ରାଜରାସ୍ତାରେ ହାଣ୍ଡି, ମାଠିଆ, ବାଲତି ଧରି ଗ୍ରାମର ମହିଳା ମାନେ ରାସ୍ତା ଉପରେ ବସି ରହିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଗ୍ରାମରେ ରହିଥିବା ଜାନିବିଲି ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ଏହି ପ୍ରକଳ୍ପର ଟ୍ରିଟମେଣ୍ଟ ପ୍ଲାଣ୍ଟ ଜଗଦଳପୁର ଗ୍ରାମରେ ରହିଛି । ହେଲେ ଦ୍ୱୀପ ତଳ ଅନ୍ଧାର ଭଳି ସ୍ଥାନୀୟ ଗ୍ରାମକୁ ପାନୀୟ ଜଳ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଗ୍ରାମବାସୀ । ପାନୀୟ ଜଳ ଯୋଗାଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।