ବ୍ରହ୍ମପୁର: ସିଲକ ସହରର ରେଶମ ପାଟ ଶାଢୀ, ତାର ସ୍ବତନ୍ତ୍ର କାରିଗରଙ୍କ ପାଇଁ ପରିଚିତ । କୁମ୍ଭ ଫୋଡା ଓଡିଶୀ ଶୈଳୀରେ ବୁଣାଯାଏ ଲୁଗା । ଜରି କାମ ଭିନ୍ନ ଏକ ଛାପ ରଖେ । ଏଥିପାଇଁ ବ୍ରହ୍ମପୁରକୁ ସିଲକ ସହରର ଆଖ୍ୟା ଦିଆଯାଇଛି । ଆଜି ବି ହସ୍ତତନ୍ତରେ ବୁଣାକାର କାର୍ଯ୍ୟ କରି ଆସୁଛନ୍ତି । ରଙ୍ଗ ଦେବା ଠାରୁ ଡିଜାଇନ ପ୍ରସ୍ତୁତି ସବୁ କିଛି ପୁରୁଣା ପଦ୍ଧତିରେ ଜାରି ରହିଛି । ବଙ୍ଗଳାର ମାଲବରି ସିଲ୍କ ଓ ବେଙ୍ଗାଲୁରୁରୁ ଆସୁଥିବା କଞ୍ଚାମାଲକୁ ପ୍ରଥମେ ଧଳା କରି ଆବଶ୍ୟକୀୟ ରଙ୍ଗ ଦିଆଯାଏ । ସୂତାକୁ ବାନ୍ଧି ଯୋଡିବା ପରେ ତାକୁ ତନ୍ତକୁ ନିଆଯାଏ । ଯେଉଁଥି ପାଇଁ ଗୋଟିଏ ଶାଢୀକୁ ବୁଣିବାକୁ ପ୍ରାୟ ସପ୍ତାହେ ସମୟ ଲାଗିଥାଏ । ପରିବାର 3 ଜଣ ସଦସ୍ୟ ଲାଗିଲେ ମାସକୁ ମାତ୍ର 3 ରୁ 4 ଖଣ୍ଡ ଶାଢୀ ପ୍ରସ୍ତୁତ ହୋଇପାରେ ।
2010 ରେ ପ୍ରଥମ ଥର ସରକାର ବୁଣାକାରଙ୍କୁ ତାଲିମ ଦେଇଥିଲେ । ପାଟବସ୍ତ୍ରରେ ବିଭିନ୍ନ ଡିଜାଇନ ସାଙ୍ଗକୁ ମେସିନ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦେବାକୁ ଉତ୍ତରପ୍ରଦେଶରୁ ଜଣେ ତାଲିମଦାତା ଆସିଥିଲେ । ସହରର ପ୍ରାୟ 40 ଜଣ ନୂତନ ଶିକ୍ଷାର ସୁଯୋଗ ପାଇଥିଲେ । ହେଲେ ଆଜି ମାତ୍ର 6 ଜଣ ସରକାରଙ୍କ 90 ପ୍ରତିଶତ ସବସିଡିରେ ଦିଆଯାଇଥିବା ପାଟବୁଣା ମେସିନରେ କାମ କରୁଛନ୍ତି । ରେଶମ ସହରର ବୁଣାକାରଙ୍କ ଏଭଳି ସମସ୍ୟା ଲାଗି ରହିଥିବାରୁ କୌଳିକ ବୃତ୍ତି ବୁଡିବାକୁ ବସିଛି । ମାତ୍ର 115ଟି ବୁଣାକାରଙ୍କ ପାଖରେ ରହିଛି ତନ୍ତ । ଆଉ ଅନେକ ବୁଣାକାରଙ୍କ ସ୍ଥାୟୀ ବାସସ୍ଥାନରୁ ପେଶାଗତ ବିକାଶ ବାଟ ହୁଡିଛି । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ କହିଛି ପାଟବସ୍ତ୍ର ପାଇଁ ତାଲିମ ଠାରୁ ମାର୍କେଟିଂ ନେଇ ଅଧିକ ଗୁରୁତ୍ବ ଦେବାକୁ ଯୋଜନା କରାଯାଉଛି ।