ବ୍ରହ୍ମପୁର: ସମୁଦ୍ର ଗର୍ଭରେ ଲୀନ ହୋଇପାରେ ରାମୟାପାଟଣା । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ଏବେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ।
ଦିନେ ନୁହେଁ କି ଦୁଇ ଦିନ । ବର୍ଷ ବର୍ଷ ଧରି ସମୁଦ୍ର କୂଳ ଲଙ୍ଘି ଅନେକ କ୍ଷତି ଘଟିଲାଣି ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ରାମୟାପାଟଣା ଗ୍ରାମ । ପୁଣି ଚଳିତବର୍ଷ ମଧ୍ୟ ଜଳବାୟୁର ପରିବର୍ତ୍ତନରେ ଏହି ଗ୍ରାମ ମଧ୍ୟକୁ କୂଳ ଲଙ୍ଘୁଛି ସମୁଦ୍ର । ଗତ କିଛି ବର୍ଷ ଧରି ଲଗାତର ଭାବରେ ଗ୍ରାମରେ ଅନେକ କ୍ଷତି ଘଟାଇବା ପରେ ଗ୍ରାମବାସୀ ସମୁଦ୍ର ଗର୍ଭରୁ ରକ୍ଷା ପାଇବା ପାଇଁ ଏକ ଗାର୍ଡ ୱାଲ କରିବାକୁ ଦାବି କରିଥିଲେ ମଧ୍ୟ ନାଲିଫିତା ତଳେ ରହିଯାଇଛି ଗ୍ରାମବାସୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଦାବି ।
କୂଳ ଲଙ୍ଘୁଛି ସମୁଦ୍ର, ନିରବଦ୍ରଷ୍ଟା ସରକାର; ଚିନ୍ତାରେ ରାମୟାପାଟଣା ଗ୍ରାମବାସୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦ୍ର କୂଳରେ ରହୁଥିବା ଗ୍ରାମବାସୀଙ୍କୁ ବାସଗୃହ ଯୋଗାଇଥିଲେ ମଧ୍ୟ ଏହି ଗ୍ରାମବାସୀ ମାନେ କେବଳ ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରୁଥିବାରୁ ଏମାନେ ସମୁଦ୍ର କୂଳରେ ହିଁ ରହିବାକୁ ପଡୁଥିବା କହିଛନ୍ତି । ଇତିମଧ୍ୟରେ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଚଳିତ ଥର ସମୁଦ୍ରର ପ୍ରଖର ଜୁଆର ମଧ୍ୟରେ ଚାଲିଯାଇଛି ଗ୍ରାମର ଅନ୍ୟ କିଛି ଘର ।
ଆଉ କେତେକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି । ଯେଉଁଥିପାଇଁ ଗ୍ରାମବାସୀଙ୍କ ସତେ ଯେପରି ନିଦ ହଜିଯାଇଛି । ଏଭଳି ସ୍ଥିତିରେ ଗ୍ରାମର ବାସ୍ତବ ସ୍ଥିତି ଜାଣିବା ସହ ଲୋକଙ୍କ ସମସ୍ୟା ଦାବି ଆପତ୍ତି ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଅଞ୍ଚଳବାସୀ ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା । ଦେଖନ୍ତୁ କଣ ରହିଛି ସମସ୍ୟା । କଣ କହୁଛନ୍ତି ଗ୍ରାମବାସୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ