ବ୍ରହ୍ମପୁର: ରାଜ୍ୟରେ କୋରୋନା ମାମଲା ଥମିବାର ନାଁ ନେଉଁନାହିଁ । ଟେଷ୍ଟିଂ ସାଙ୍ଗକୁ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏପଟେ ରୋଗୀଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଅକ୍ସିଜେନ ସିଲିଣ୍ଡର ।
କୋରୋନାର ମଧ୍ୟମ ଓ ଗୁରୁତର ଲକ୍ଷଣ ରୋଗୀ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥାନ୍ତି । ସେଥିପାଇଁ ଏହି ରୋଗୀମାନଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଇଥାଏ । ମୁଖ୍ୟତଃ କୋରୋନାର ମଧ୍ୟମ ଓ ଗୁରୁତର ଲକ୍ଷଣ ରୋଗୀଙ୍କ ଶରୀରରୁ ଅକ୍ସିଜେନର ମାତ୍ରା ୯୦ ପ୍ରତିଶତରୁ କମ୍ ରହିଲେ କିମ୍ବା ଅଧିକ ଭାଇରାଲ୍ ଲୋଡ୍ ରହିଥିବା ରୋଗୀଙ୍କ କ୍ଷେତ୍ରରେ ନିହାତି ଅକ୍ସିଜେନର ଆବଶ୍ୟକତା ରହିଥାଏ । ଏଭଳି ସମୟରେ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇଥାଏ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।
ଏପଟେ ସାଧାରଣତଃ କୋରୋନା ଭୟରେ ଅନେକ ଘରୋଇ ମେଡିକାଲ ସାଧାରଣ ରୋଗୀଙ୍କୁ ମେଡିକାଲରେ ଚିକିତ୍ସା କରାଉନାହାନ୍ତି । ଏଣୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମଞ୍ଚଳରେ ବିଭିନ୍ନ ରୋଗୀ ଘରେ ରହି ନିଜର ଚିକିତ୍ସା କରାଉଛନ୍ତି । ତେଣୁ ଘରେ ରହି ଚିକିତ୍ସା କରାଉଥିବା ରୋଗୀ ହେଉ ଅବା ମେଡିକାଲ ସବୁଠି ଅକ୍ସିଜେନ ସିଲିଣ୍ଡରର ରହିଛି ଢେର୍ ଚାହିଦା । ଏଣୁ ବ୍ରହ୍ମପୁର ସହରରେ ରହିଥିବା ଏଭଲି ଅକ୍ସିଜେନ୍ ସିଲିଣ୍ଡରର କିଛି ଡିଲର ଏହି ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି ।