ବ୍ରହ୍ମପୁର: କୋରୋନା ଭୟରେ ଜାପାନାର ୟକୋହମାରେ ଅଟକି ରହିଛି ଡାଏମଣ୍ଡ ପ୍ରିନ୍ସସେସ ଜାହାଜ । ଦୀର୍ଘ ଦିନ ଧରି ବିଭିନ୍ନ ଦେଶର ନାଗରିକଙ୍କ ସମେତ ଫସି ରହିଛନ୍ତି ଜଣେ ଓଡିଆ ପୁଅ । ଉଦ୍ଧାର ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷ ନାୟକ । ବ୍ରହ୍ମପୁର ସହରର ପନ୍ଦରା ସାହିର ଲିଙ୍ଗରାଜ ନାୟକଙ୍କ ପୁଅ ଶିବାଶିଷ ।
ଶିବାଶିଷ ଦିଲ୍ଲୀର ଗୁରଗାଓଁ ନିକଟରେ ଥିବା ହେକ୍ସ ନାମକ କମ୍ପାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଗତ 2 ବର୍ଷ ଧରି କାର୍ଯ୍ୟରତ ରହିଥିଲେ । ଗତ ଜାନୁଆରୀ 10ରେ ଶିବାଶିଷ ବିମାନ ଯୋଗେ ଦିଲ୍ଲୀରୁ ମାଲେସିଆ ଓ ମାଲେସିଆରୁ ଭିଏତନାମାରେ ପହଞ୍ଚିଥିଲେ । ଯେଉଁଠୁ ସେ ଡାଏମଣ୍ଟ ପ୍ରିନ୍ସସେସ ନାମକ ଜାହାଜରେ କାମ ପାଇଁ ବାହାରିଥିଲେ । ହେଲେ ହଠାତ କୋରୋନା ଭାଇରସ ଆତଙ୍କ ଯୋଗୁଁ ଜାପାନ ସରକାର ଜାହାଜରେ ଯାଉଥିବା 3700 ଯାତ୍ରୀଙ୍କ ପରୀକ୍ଷା କରିଥିଲେ । ପ୍ରଥମେ 66 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏବେ ଆକ୍ରାନ୍ତ ସଂଖ୍ୟା 174ରେ ପହଞ୍ଚିଛି । ଶିବାଶିଷଙ୍କ ସମେତ ମୋଟ 6 ଜଣ ଭାରତୀୟ କର୍ମଚାରୀ ମଧ୍ୟରେ ସେଠାରେ ଫସି ରହିଛନ୍ତି ।