ବ୍ରହ୍ମପୁର:କୋରୋନା ପାଇଁ କଳକାରଖାନା ବନ୍ଦ ହୋଇଯିବାରୁ ଅନେକ ହରାଇଥିଲେ କର୍ମନିଯୁକ୍ତି । ବହୁ କଷ୍ଟରେ ଆସିଥିଲେ ନିଜ ଜନ୍ମ ମାଟିକୁ । ଯାହା ଦୁଇ ପଇସା ସଞ୍ଚୟ କରି ରଖିଥିଲେ ତାହା ଗାଁକୁ ଆସିବା ଏବଂ ଦୀର୍ଘ ଦିନ ଧରି କାର୍ଯ୍ୟ ନମିଳିବାରୁ ପରିବାର ଚଳାଇ ଶେଷ ହୋଇଗଲା । ଏଣୁ ଏଭଳି ସମୟରେ ନିଜ ଅଞ୍ଚଳରେ ରହି କିଛି ଲାଭ ନାହିଁ । କାମଧନ୍ଦା ନଥିବାରୁ ଲକଡାଉନ୍ ଏବଂ ସଟଡାଉନର ପ୍ରଭାବ ପାଇଁ ସତେଯେପରି କୋରୋନା ଭୟକୁ ବଳିଯାଇଛି ଏମାନଙ୍କ ପରିବାରରେ ଭୋକର ଜ୍ୱାଳା । ସେପଟେ ଗ୍ରାମରେ ଆଉ ରହିହେବ ନାହିଁ କି କୋରୋନାକୁ ଡରି ଘରେ ବସି ହେବନି । କୋଭିଡ-୧୯ ର ଭୟ ଯାଇନଥିଲେ ମଧ୍ୟ ଏବେ କର୍ମକ୍ଷେତ୍ରକୁ ଫେରିବାର ସମୟ ଆସିଯାଇଥିବାରୁ ପୁଣି ସୁରଟ ମୁହାଁ ହେବାକୁ ବାଧ୍ୟ କରିଛି ଏହି ପ୍ରବାସୀ ଓଡିଆଙ୍କୁ । ଭଗବାନଙ୍କ ଭରସାରେ ସତେଯେପରି ସମସ୍ତେ ବାହାରି ସାରିଛନ୍ତି ନିଜ କର୍ମକ୍ଷେତ୍ରକୁ । କିଏ ପରିବାର ପିଲାଛୁଆ କୁ ଘରେ ଛାଡି ଏକାକି ଯାଉଛି ତ ଆଉ କିଏ ପତ୍ନୀ ଓ ଛୁଆ ପିଲାଙ୍କୁ ନେଇ ସାଙ୍ଗରେ ବାହାରିଛନ୍ତି ।
ତେବେ ଏହି ସମୟରେ ୨୦୧୬ ମସିହାରେ ବ୍ରହ୍ମପୁର ସହରରେ ଜଣେ ସିଭିଲ୍ ଇଞ୍ଜିନିୟର ଡିପ୍ଲମା ପାଶ୍ କରିଥିବା ପ୍ରତାପ କୁମାର ଭୋଳ ନିଜର ମନର କଥା ବଖାଣିଛନ୍ତି । ଜିଲ୍ଲାର କବିସୂର୍ଯ୍ୟନଗର ସୁନାପଲ୍ଲୀ ଅଞ୍ଚଳର ପ୍ରତାପ ପାଠ ପଢିବା ସମୟରେ ଜଣେ ଯୁବ ଇଂଞ୍ଜିନିୟର ଭାବରେ କ୍ୟାରିଅର ଗଢି ତୋଳିବା ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ । ସରକାରୀ କିମ୍ୱା ବେସରକାରୀ ସ୍ତରରେ ନିଯୁକ୍ତି ପାଇ ସ୍ୱପ୍ନର ଯୋଜନାକୁ ସଫଳ କରିବେ ବୋଲି ଭାବିଥିଲେ । ହେଲେ ମିଳିଲା ନାହିଁ ନିଯୁକ୍ତି । ଚାକିରିକୁ ଅପେକ୍ଷା କରି କରି ଶେଷରେ ଗଞ୍ଜାମ ଜିଲ୍ଲାର ଅନ୍ୟ ପ୍ରବାସୀ ଓଡିଆଙ୍କ ଭଳି ମନ ବଳାଇଲେ ସୁରତ ଯିବା ପାଇଁ । ପରିବାର ପ୍ରତିପୋଷଣ ପାଇଁ ରହିଥିବା ଅନେକ ସ୍ୱପ୍ନକୁ ପଛର ପକାଇ ସୂତାକଳରେ ସୁପରଭାଇଜର ଭାବେ ଆରମ୍ଭ କରିଥିଲେ କାମ ।
ଜାନୁଆରୀ ମାସରେ ଏହି କର୍ମନିଯୁକ୍ତି ପାଇଥିବା ବେଳେ ମାର୍ଚ୍ଚ ମାସରେ କୋରୋନା ରୂପକ ମହାମାରୀ ପାଇଁ ଘୋଷଣା ହୋଇଥିବା ଲକଡାଉନରେ ଫେରିଥିଲେ ନିଜ ଘରକୁ । ହେଲେ ଗତ ୫ ମାସରୁ ଊର୍ଦ୍ଧ୍ୱ ସମୟ ହେଲା କାମଧନ୍ଦା ମିଳିଲା ନାହିଁ । ଆଉ ଶେଷରେ କୋରୋନା ଭୟକୁ ବଳିଗଲା ଭୋକର ଜ୍ୱାଳା । ଯାହକୁ ନେଇ ଏହି ଶିକ୍ଷିତ ଯୁବକ ଜଣଙ୍କ ପୁଣି ଥରେ ବାହାରିଛନ୍ତି ସୁରତମୁହାଁ । କେବଳ ଗଞ୍ଜାମ ଜିଲ୍ଲାର ଏହି ଶିକ୍ଷିତ ଯୁବକ ଜଣଙ୍କ ପ୍ରବାସୀ ଓଡିଆ ଭାବରେ ସୁରତ ଯାଉନାହାନ୍ତି । ଏଭଳି ଶହ ଶହ ପ୍ରବାସୀ ଓଡିଆ ଯୁବକ ପରିବାର ପ୍ରତିପୋଷଣ ପାଇଁ ବାହାରିଛନ୍ତି ସୁରଟ ଅଭିମୁଖେ ।