ବ୍ରହ୍ମପୁର:ତପସ୍ବିନୀଙ୍କୁ ଛାଡି ଡାକ୍ତର ସୁମିତ ଫେରାର । ଡ୍ୟୁଟି କରିବାକୁ ଯାଇ ଫେରିନଥିବା ବିଷୟ ସୂଚନା ଦେଲେ ଆଇନଜୀବୀ । ସକାଳ ସମୟରେ ନିଜର ଡ୍ୟୁଟି କରିବାକୁ ଆସିକା ନିକଟବର୍ତ୍ତୀ ବାଲିସିରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଆଉ ଫେରିନଥିବା ବେଳେ ମଧ୍ୟାହ୍ନରେ ଏକ ସ୍କୁଟି ଗାଡିରେ ବସି ଚାରି ଦିନ ପାଇଁ ଛୁଟି ଆବେଦନ କରି କେଉଁଆଡେ ଫେରାର ହୋଇଯାଇଥିବା କୁହାଯାଉଛି ।
ସୁମିତ ନିଜର ମୋବାଇଲକୁ ମଧ୍ୟ ସୁଇଚ୍ ଅଫ୍ କରିଥିବା ନେଇ ସୂଚନା ଦେଇଛନ୍ତି ଆଇନଜୀବୀ । ଦୀର୍ଘ ୧୧ ଦିନ ଧରି ନିଜ ସ୍ବାମୀଙ୍କ ସହ ଶ୍ବଶୁର ଘରେ ରହିବାକୁ ଦାବି କରି ଧାରଣା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର SDJM କୋର୍ଟ ଦୁହିଁଙ୍କୁ କେତେକ କଟକଣା ମଧ୍ୟରେ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସପ୍ତାହେ ପରେ ଦୁହେଁଙ୍କ ସ୍ଥିତିକୁ ନେଇ ପ୍ରୋଟେକସନ ଅଧିକାରୀ ଓ ସ୍ଥାନୀୟ ଥାନାଧିକାରୀଙ୍କ ରିପୋର୍ଟ ପରେ ଗତକାଲି କୋର୍ଟ ସମସ୍ତ କଟକଣା ଉଠାଇବା ସହିତ ଦୁହେଁ ଘର ଭଡା ନେଇ ରହିବାକୁ ଅନୁମତି ଦେଇଥିଲେ । ଏଥିସହ ପତ୍ନୀଙ୍କ ସମସ୍ତ ଖର୍ଚ୍ଚ ସ୍ବାମୀ ବହନ କରିବାକୁ ରାୟ ଦେଇଥିଲେ ।