ବ୍ରହ୍ମପୁର: ଲକଡାଉନ ପାଇଁ ଏବେ ରାଜ୍ୟ ସରକାରଙ୍କ ଯୋଜନାରେ ଘର ବାହୁଡିଛନ୍ତି ଅନେକ ପ୍ରବାସୀ । ଏଥିମଧ୍ୟରେ ସାମିଲ ରହିଛନ୍ତି ବ୍ରହ୍ନପୁର ସହରର ଅନେକ ବାସିନ୍ଦା । ତେବେ ଘର ଫେରନ୍ତାଙ୍କୁ ହୋମ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ ରହିଥିବା ବେଳେ ଅନେକ ଏହି ନିୟମ ଭାଙ୍ଗୁ଼ଥିବା ଦେଖିବାକୁ ମିଳିଛି । ଆଉ ଏହି ଅମାନିଆଙ୍କୁ ସାବାଡ କରିବା ସହ ଏମାନଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ କାର୍ଯ୍ୟ କରୁଛି ସ୍ବତନ୍ତ୍ର ଆପ୍ ‘ସ୍ବସ୍ଥ’ ।
ସେ ରାଜ୍ୟ ବାହାରରୁ ହେଉ ଅବା ରେଡ ଜୋନ ଅଞ୍ଚଳରୁ ବ୍ରହ୍ମପୁର ସହରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଅନେକ ରହିଛନ୍ତି ହୋମ କ୍ବାରେନଣ୍ଟାଇନରେ । ଆଉ ଏଭଳି ହୋମ କ୍ବାରେନଣ୍ଟାଇନରେ ରହିଥିବା ବ୍ୟକ୍ତି ବିଶେଷମାନେ ଯେପରି ଘର ବାହାରକୁ ନ ବାହାରିବେ ଏବଂ ସାହି ବାସିନ୍ଦା ଏଥିପ୍ରତି ସତର୍କ ରହିବେ ସେ ନେଇ ଅନେକଙ୍କ ଘର ସାମ୍ନାରେ ପ୍ରଶାସନ ପକ୍ଷରୁ ସୂଚିତ କରାଯାଉଛି । ତଥାପି ଅନେକ ଅମାନିଆ ଏହାକୁ ଉଲ୍ଲଂଘନ କରି ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଏବେ କାର୍ଯ୍ୟ କରୁଛି ସ୍ବତନ୍ତ୍ର ମୋବାଇଲ ଆପ ‘ସ୍ବସ୍ଥ’ ।
ହୋମ କ୍ବାରେନଣ୍ଟାଇନ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଧରିବ ସ୍ମାର୍ଟ ଆପ୍ ‘ସ୍ବସ୍ଥ’ ହୋମ କ୍ବାରେନଣ୍ଟାଇନରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ରହିଥିବା ସ୍ମାର୍ଟ ଫୋନରେ ଏହାକୁ ଇନଷ୍ଟଲ କରାଯାଇ ସେମାନଙ୍କ ଗତିବିଧିକୁ ନିରୀକ୍ଷଣ କରୁଛନ୍ତି ମହାନଗର ନିଗମଠାରୁ ଆରମ୍ଭ କରି ଦାୟିତ୍ବରେ ରହିଥିବା ଅଧିକାରୀମାନେ । ବ୍ରହ୍ମପୁର ସହରରେ କିଭଳି ଏହି ସ୍ବତନ୍ତ୍ର ମୋବାଇଲ ଆପରେ ହୋମ କ୍ବାରେନଣ୍ଟାଇନ ଉପରେ ସମସ୍ତ ପ୍ରକାର ନଜର ରଖାଯାଉଛି ସେନେଇ ଆପ ପ୍ରସ୍ତୁତ କରିଥିବା ଯୁବ ଇଞ୍ଜିନିୟର ଲୋକଙ୍କୁ ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଏହି ଆପରେ ହୋମ କ୍ବାରେନଣ୍ଟାଇନରେ ରହୁଥିବା ବ୍ୟକ୍ତିବିଶେଷ ମାନେ ନିଜ ଘରରୁ ବାହାରକୁ ଗଲେ ଏହାର ନୋଟିଫିକେସନ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ପାଇପାରିବେ । ସେନେଇ ମହାନଗର ନିଗମ ଅଧିନସ୍ଥ ସମସ୍ତ ସହରାଞ୍ଚଳ ସ୍ବାସ୍ଥକେନ୍ଦ୍ରରେ ଦିଆଯାଉଛି ସ୍ବତନ୍ତ୍ର ତାଲିମ ।
ପୂର୍ବରୁ ନିୟମିତ ଭାବରେ ସମସ୍ତ ଘରକୁ ତଦାରଖ କରିବା ସମ୍ଭବ ହେଉନଥିବା ବେଳେ ଏହା ଅନେକ ମାତ୍ରାରେ ସହଯୋଗ ହେବ ବୋଲି କହିଛନ୍ତି କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସହରର ଅନେକ ସ୍ବାସ୍ଥ୍ୟକର୍ମୀ । ଏପରିକି ସରକାରଙ୍କ ରହିଥିବା କ୍ବାରେନଣ୍ଟାଇନ ନିୟମକୁ ନେଇ ଅନେକ ନିୟମ ଏହି ଆପରେ ଉପଲବ୍ଧ କରାଯାଇଛି । ଏହି ଅବଧି ବୃଦ୍ଧି କଲେ ମଧ୍ୟ ଏହି ଆପରେ ତାହାକୁ ବୃଦ୍ଧି କରାଯାଇ ପାରିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୈନିକ ପ୍ରତ୍ୟେକ ହୋମ କ୍ବାରେନଣ୍ଟାଇନଙ୍କ ପାଖକୁ ଯେକୌଣସି ସମୟରେ ଅଟୋମେଟିକ କଲ ଯାଇଥାଏ । ଆଉ କଲ ଆସିବାର କିଛି ସମୟ ମଧ୍ୟରେ ନିଜର ସେଲଫି ପଠାଇବାକୁ ହୁଏ । ଏହାଦ୍ବାରା ନିୟମିତ ଭାବରେ ପ୍ରତ୍ୟେକ ଘରେ ରହିଛନ୍ତି କି ନାହିଁ ତାହାକୁ ଖୁବ ସହଜରେ ଯାଞ୍ଚ କରିହେବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ