ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ବୁଧବାର) ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି 2ଟି ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବା ଦ୍ବାରା ରାଜ୍ୟରେ ସମୁଦାୟ 5 ଟି ପ୍ଲାଜମା କେନ୍ଦ୍ର ପ୍ରତିଷ୍ଠା ହେଲା । ଏହାଦ୍ବାରା ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା । ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଓ ବର୍ତ୍ତମାନ ସୁଦ୍ଧା 60 ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି । 48 ଜଣ ରୋଗୀଙ୍କ ଅବସ୍ଥାରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡ ମୁକ୍ତ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର SCB, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର IGH ଠାରେ 3 ଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଏହି ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ 5 ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।
ବ୍ରହ୍ମପୁରର MKCG Medical Collegeରେ ଉପସ୍ଥିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ କୋଭିଡ ଯୁଦ୍ଧକୁ ପ୍ରଭାବଶାଳୀ କରାଯାଇଛି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସବୁପ୍ରକାର ଉପଲବ୍ଧ ପ୍ରଦ୍ଧତିକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 400 ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । MKCG ପରିସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିଥିଲେ ।