ବ୍ରହ୍ମପୁର: ଗତ କିଛି ବର୍ଷ ଧରି ଅକ୍ଟୋବର ୨୯ କୁ ଜାତୀୟ ପ୍ରଶମନ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ୍-୧୯ କଟକଣା ଯୋଗୁଁ ଏହି ଦିନକୁ ସମଗ୍ର ରାଜ୍ୟରେ ପାଳନ କରାଯାଇ ନାହିଁ । ତେବେ ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।
ଓସଡମାର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ରିଲିଫ୍ କମିଶନର୍ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓମାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ରିଲିଫ୍ କମିଶନର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟସ୍ତରରେ ଆପଣାଯାଉଥିବା ସବୁ ଯୋଜନାର ଉପଲବ୍ଧି ବଖାଣିଛନ୍ତି । ସେ କହିଛନ୍ତି କି , ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରାଯାଇ ଜିରୋ କାଜୁଆଲିଟି ସ୍ଥିତିକୁ ଅଣାଯାଇପାରୁଛି । ଏହି ଉପଲକ୍ଷେ ସେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଏଥି ସହିତ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।
ବିପର୍ଯ୍ୟୟ ମୁକାବିଲା ଦିଗରେ ଅର୍ଥର କୌଣସି ବାଧକ ନାହିଁ ଓ ଆଗାମୀ ଦିନରେ ନୂତନ ବୈଷୟିକ ଜ୍ଞାନ କୌଶଳ ବଳରେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ରାଜ୍ୟକୁ ସୁଦୃଢ କରିବା ଯୋଜନା ଜାରି ରହିଥିବା ଏଥିରେ କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ୧୯୯୦, ୧୯୯୫, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୦୯ ମସିହାରେ ହୋଇଥିବା ବନ୍ୟା, ୧୯୯୬, ୨୦୦୨, ୨୦୦୯, ୨୦୧୧, ୨୦୧୫ ମସିହାରେ ଅନାବୃଷ୍ଟି ବା ମରୁଡି, ୧୯୯୯ ମସିହାରେ ଘୂର୍ଣ୍ଣିବାତ୍ୟା, ୨୦୧୦ ମସିହାର ଅସମୟରେ ହୋଇଥିବା ଅତ୍ୟାଧିକ ଘୂର୍ଣ୍ଣିବାତ୍ୟା, ୨୦୧୨ ମସିହାରେ ଧୋଇନେଇଥିବା ବନ୍ୟା, ୨୦୧୩ ମସିହା ଅକ୍ଟୋବର ୧୩ ତାରିଖରେ ଘଟିଥିବା ଅତ୍ୟାଧିକ ଘୂର୍ଣ୍ଣିବାତ୍ୟା ଫାଇଲିନ୍, ୨୦୧୪ ମସିହାରେ ଅତ୍ୟଧିକ ଘୂର୍ଣ୍ଣିବାତ୍ୟା ହୁଡହୁଡ୍, ୨୦୧୯ ମେ ମାସରେ ହୋଇଥିବା ଫନିକୁ ମନେ ପକାଇ ଏହାର ମୁକାବିଲା କିଭଳି କରାଯାଇଥିଲା ସେ ସମ୍ପର୍କରେ ଆଜିର ଏହି କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଛି ।