ବ୍ରହ୍ମପୁର: ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା । ଗଞ୍ଜାମ ଲଙ୍ଗଳେଶ୍ବର ଠାରେ ପାନୀୟ ଜଳ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ମହିଳା । ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବା ବେଳେ ରାଜପଥର କାର୍ଯ୍ୟଭାର ନେଇଥିବା ସିପି ଆରୋରା ନାମକ ଏକ ଠିକା ସଂସ୍ଥା ପେଣ୍ତୁରାପଲ୍ଲୀରୁ ଲଙ୍ଗଳେଶ୍ବର ଯାଇଥିବା ପାନୀୟ ଜଳ ପାଇପକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।
ଦୀର୍ଘ ୬ମାସ ପରେ ମଧ୍ୟ ସଂପୃକ୍ତ ଠିକା ସଂସ୍ଥା ପାଇପର ପୁନଃ ସଂଯୋଗ କାମ କରିନଥିଲା । ଫଳରେ ଲଙ୍ଗଳେଶ୍ବର ବାସିନ୍ଦା ପାନୀୟ ଜଳ ନ ପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ଗ୍ରାମବାସୀ ଠିକା ସଂସ୍ଥା, ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଇନଥିଲେ । ଫଳରେ ମହିଳା ମାନେ ନଦୀର ଦୂଷିତ ଜଳ ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।