ଓଡିଶା

odisha

ETV Bharat / city

ଛତ୍ରପୁରରେ ଜାତୀୟ ନୃତ୍ୟ ସଙ୍ଗୀତ ସମାରୋହ - ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବ୍ରହ୍ମପୁର

By

Published : Feb 13, 2019, 4:26 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ବରର ତ୍ରିଧାରା ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ରର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସମେତ ବହୁ ବିଦେଶୀ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବ୍ରହ୍ମପୁର
ସୂଚନା ଅନୁଯାୟୀ, କଳାକାରମାନେ ପ୍ରଥମେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହାପରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପହଞ୍ଚି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଘଣ୍ଟ ନୃତ୍ୟ, କୋଠିଶାଳ, ଭାରତ ଲୀଳା ଓ ପ୍ରହ୍ଲାଦ ନାଟକ ଭଳି ଲୋକକଳା ପ୍ରଦର୍ଶିତ କରାଯାଇଥିଲା । ଏଥିରେ ମାଲେସିଆର ସୂତ୍ର ଫାଉଣ୍ଡେସନ ଅଧ୍ୟକ୍ଷ ପଦ୍ମଶ୍ରୀ ରାମଲି ଇବ୍ରାହିମ୍ ଓ ଦଳ, ଜାପାନୀ ନୃତ୍ୟାଙ୍ଗନା ଚିସାତୋ ମିଉରା ଏବଂ ରିଏ କୁମାକୁରା ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହା ସହିତ ତ୍ରିଧାରା ଅନୁଷ୍ଠାନର ନୄତ୍ୟ ଦଳ ଓଡିଶୀ ସମେତ ଡାଲଖାଇ ଭଳି ଲୋକ ନୄତ୍ୟ ପ୍ରଦର୍ଶନ କରିଥିଲେ ।

ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଦାସ ଓ ଅତିରିକ୍ତ ଏସ ପି ଅମରେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇ ନୄତ୍ୟ ଶିଳ୍ପୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହା ବ୍ୟତିତ ଓଡିଶା ସଂଗୀତ ନାଟକ ଏକାଡ଼େମୀର ପୂର୍ବତନ ସଂପାଦକ ମନ୍ମଥ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୁରୁ ସ୍ୱାଇଁ, ବରିଷ୍ଠ ଜାପାନୀ ଶିଳ୍ପୀ କୁମା ବେ, କଳା ବିକାଶ କେନ୍ଦ୍ରର ସଭାପତି ରାମଚନ୍ଦ୍ର ପଟନାୟକ, ଉପଦେଷ୍ଟା ଅଶୋକ ଚୌଧୂରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟରେ ପ୍ରତିଷ୍ଠିତ ୧୬ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details