ବ୍ରହ୍ମପୁର:ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ହାବୁଡ଼ରେ ପଡିଲା 23ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଧରା ପଡିଛି ସୁନା ଚାଲାଣ ରାକେଟ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା ।
ସୂଚନା ଅନୁଯାୟୀ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଯାଞ୍ଚ କରୁଥିଲେ । ଏଭଳି ସମୟରେ ମହାରାଷ୍ଟ୍ରର ନମ୍ବର ରହିଥିବା ଏକ ଗାଡି ସେହି ରାସ୍ତା ଦେଇ ଯାଇଥିଲା । ଅଧିକାରୀମାନେ ସନ୍ଦେହରେ କାରକୁ ଅଟକାଇବା ପରେ ଯାଞ୍ଚ କରାଯିବା ପରେ କାର୍ ଭିତରୁ କିଛି ପରିବା ବ୍ୟାଗ୍ ମିଳିଥିଲା । ପରିବା ବ୍ୟାଗରେ ପୁଳା ପୁଳା ଟଙ୍କା ବିଡା ଜବତ ହୋଇଥିଲା । ଏହା ସହ 23ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛନ୍ତି ଗୁଇନ୍ଦା ବିଭାଗ ଅଧିକାରୀ । ଏତେ ଟଙ୍କା ଦେଖି ଅବକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାର ମଧ୍ୟରେ ବସିଥିବା ବ୍ୟକ୍ତି ଜଣକ ନିଜକୁ ଭରତଗୋଖେ ନାୟକ ଏବଂ ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ପରିଚୟ ଦେଇଥିଲେ । ଏନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ଉକ୍ତ ଟଙ୍କା ଜବତ କରିବା ସହ ଭରତଙ୍କୁ ଥାନାକୁ ଆଣିଥିଲେ ।