ଓଡିଶା

odisha

କୋରୋନା ରୁଜ୍ଜୁରେ ବନ୍ଧା ହୋଇଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଭାଗ୍ୟ

By

Published : Aug 17, 2020, 8:20 PM IST

ଜନ୍ମରୁ ମାନସିକ ଅନଗ୍ରସର ରହିଥିବା ଶିଶୁମାନଙ୍କ ମାନସିକ ବିକାଶ ପାଇଁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟରେ ଦିଆଯାଇଥାଏ ସ୍ୱତନ୍ତ୍ର ଶିକ୍ଷା । ମୁଖ୍ୟତଃ ଯେଉଁ ଶିଶୁମାନେ ୬୦ ରୁ ୭୦ ପ୍ରତିଶତରୁ କମ୍ ଆଇ.କ୍ୟୁ ରହିଥାଏ, ସେମାନଙ୍କୁ ମାନସିକ ସ୍ତରରେ ବିକାଶ ପାଇଁ ଏଭଳି କେନ୍ଦ୍ରରେ ଫିଜିଓଥେରାପି ଠାରୁ ଆରମ୍ଭ କରି କିପରି କଥା କହିବେ ଏବଂ ସେମାନଙ୍କ ନିଜର ଅତି ଆବଶ୍ୟକ କାର୍ଯ୍ୟ କରିବେ ତାହାକୁ ନିୟମିତ ଭାବରେ କରାଯାଉଥିଲା ଅଭ୍ୟାସ । ହେଲେ ଲକଡାଉନ ଯୋଗୁଁ ସବୁକିଛି ବନ୍ଦ ହୋଇପଡିଥିବା ବେଳେ ଚିନ୍ତାରେ ଅଭିଭାବକ...ଏନେଇ ଦେଖନ୍ତୁ ଇଟିଭି ଭାରତ ସ୍ପେସିଆଲ ରିପୋର୍ଟ...

କୋରୋନା ରୁଜ୍ଜୁରେ ବନ୍ଧା ହୋଇଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଭାଗ୍ୟ
କୋରୋନା ରୁଜ୍ଜୁରେ ବନ୍ଧା ହୋଇଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଯେତିକି ପରିମାଣର ଦିବ୍ୟାଙ୍ଗ ରହିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରହିଥାନ୍ତି ମାନସିକ ଅନଗ୍ରସର । ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟରେ ନିୟମିତ ଭାବରେ ତାଲିମ ଦିଆଯାଇଥାଏ । ବ୍ରହ୍ମପୁରରେ ସେହିଭଳି ଶିଶୁମାନଙ୍କ ମାନସିକ ବିକାଶ ପାଇଁ ବିଦ୍ୟାଳୟ ରହିଛି । ମୁଖ୍ୟତଃ ଯେଉଁ ଶିଶୁମାନେ ୬୦ ରୁ ୭୦ ପ୍ରତିଶତରୁ କମ୍ ଆଇ.କ୍ୟୁ ରହିଛି, ସେମାନଙ୍କୁ ଏଭଳି କେନ୍ଦ୍ରରେ ଫିଜିଓଥେରାପି ଠାରୁ ଆରମ୍ଭ କରି କିପରି କଥା କହିବା ,ନିଜର ଅତି ଆବଶ୍ୟକ କାର୍ଯ୍ୟ କରିବା, ସେସବୁ ନିୟମିତ ଭାବରେ ଅଭ୍ୟାସ କରାଯାଉଥିଲା । ହେଲେ ଲକଡାଉନ ଯୋଗୁଁ ବନ୍ଦ ହୋଇ ପଡିଛି ଏଭଳି ଅନେକ ମାନସିକ ଅନଗ୍ରସର ବିଦ୍ୟାର୍ଥୀଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ । ଫଳରେ 4 ରୁ 5 ମାସ ଧରି ଏହି ବର୍ଗର ଛାତ୍ରଛାତ୍ରୀ ତାଲିମରୁ ବଞ୍ଚିତ ହେଉଛନ୍ତି । ସେପଟେ ଅଭିଭାବକମାନେ ସେମାନଙ୍କୁ ଆକଟ କରି ରଖିବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି ।

କୋରୋନା ରୁଜ୍ଜୁରେ ବନ୍ଧା ହୋଇଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଭାଗ୍ୟ
ବର୍ତ୍ତମାନ ସମୟରେ ଯେଉଁ ପରିବାର ବର୍ଗଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି, ସେମାନଙ୍କୁ କିଭଳି ଘରେ ଅଭ୍ୟାସ କରାଇବେ ଏନେଇ ଛୋଟ ଛୋଟ ଭିଡିଓ କରି ପଠାଯାଉଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଯୋଜନା କରାଯାଉଥିବା କହିଛନ୍ତି ବ୍ରହ୍ମପୁରରେ ମନୋବିକାଶର ସ୍ୱତନ୍ତ୍ର ପ୍ରଶିକ୍ଷକ । ଅପରପକ୍ଷେ ଏହି ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରି ରହିବା ପାଇଁ ପରାମର୍ଶ ଦେଇଛନ୍ତି ଅନୁଷ୍ଠାନର କର୍ମଚାରୀ ।ଜନଗଣନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ ତିନି ହଜାର ଦିବ୍ୟାଙ୍ଗ ରହିଥିବାବେଳେ ରାଜ୍ୟରେ ଏହାର ସଂଖ୍ୟା ରହିଛି ୧୨ ଲକ୍ଷ ୪୪ ହଜାର ୪୦୦ । ପୂର୍ବରୁ ନଅ ପ୍ରକାର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଉଥିବାବେଳେ ବର୍ତ୍ତମାନ ୨୧ ପ୍ରକାର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଉଛି । ସେପଟେ ୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ରହିଥିବା ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଏଭଳି ସ୍ୱତନ୍ତ୍ର ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନର କୋରୋନା ସହିତ ଜୀବନ ବିତାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ମାନସିକ ଅନଗ୍ରସର ବିଦ୍ୟାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନ କରାଗଲେ ଏହି ବର୍ଗର ପିଲାଙ୍କ ମାନସିକ ବିକାଶ ପାଇଁ ଅନେକ ସମସ୍ୟା ଦେଖାଦେଇପାରେ ।ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details