ବ୍ରହ୍ମପୁର: ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ଆସନ ଅଳଙ୍କୃତ କରିଥିଲେ ବ୍ରହ୍ମପୁରର ଭି.ଭି.ଗିରି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ଦେଶର ସବୁଠାରୁ ବଡ ସାମ୍ୱିଧାନିକ ପଦକୁ ଅଳଙ୍କୃତ କରିବା ସହ ୧୯୬୯ ମସିହା ଠାରୁ ୧୯୭୪ ପର୍ଯ୍ୟନ୍ତ ଦେଶର ରାଷ୍ଟପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଭାରତର ୧୫ତମ ରାଷ୍ଟ୍ରପତି ପଦ ନିମନ୍ତେ ଓଡିଶାରୁ ଦୌପଦୀ ମୁର୍ମୁ ଏନଡିଏରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବ୍ରହ୍ମପୁରର ଭି.ଭି.ଗିରି । ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ....
ବ୍ରହ୍ମପୁରର ଭି.ଭି.ଗିରି । ପୁରା ନାମ ବରାହଗିରି ଭେଙ୍କଟଗିରି । ୧୮୯୪ ମସିହା ଅଗଷ୍ଟ ମାସର ୧୦ ତାରିଖରେ ବ୍ରହ୍ମପୁର ସହରର ଏକ ଜମିଦାର ପରିବାରରେ ହୋଇଥିଲା ତାଙ୍କର ଜନ୍ମ । ବାପା ଜୋଗେୟା ପାନ୍ତୁଲୁ ଜଣେ ଆଇନଜୀବୀ ଥିଲେ । ଆଇନଜୀବୀ ଭାବରେ ଯେତିକି ପରିଚିତ ତା ଠାରୁ ଅଧିକ ପରିଚିତ ଥିଲେ କଂଗ୍ରେସ ଦଳର ବରିଷ୍ଠ ନେତା ଭାବରେ । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ସେ ଦେଶର ସବୁଠାରୁ ବଡ ସାମ୍ୱିଧାନିକ ପଦକୁ ଅଳଙ୍କୃତ କରିବାରେ ସକ୍ଷମ ହୋଇଥିଲେ । ଯାହାକି ୧୯୬୯ ମସିହା ଠାରୁ ୧୯୭୪ ପର୍ଯ୍ୟନ୍ତ ଦେଶର ରାଷ୍ଟପତି ଭାବରେ ଦାୟିତ୍ୱ ନିର୍ବାହ କରି ଆସିଥିଲେ । ଦେଶର ତୃତୀୟ ରାଷ୍ଟ୍ରପତି ଡା.ଜାକିର ହୁସେନ୍ ଙ୍କ ଦେହାନ୍ତ ପରେ ସେହି ସମୟରେ ଉପରାଷ୍ଟ୍ରପତି ଭାବରେ ରହିଥିବା ଭି.ଭି.ଗିରି ପ୍ରଥମେ କିଛି ଦିନ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ । ପରେ ଦେଶର ଚତୁର୍ଥ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ। ଯାହାକୁ ନେଇ ଆଜି ବି ମନେପକାନ୍ତି ତାଙ୍କ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ସହରବାସୀ । ବର୍ତ୍ତମାନ ଦେଶର ୧୫ ତମ ରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ପଦ ପାଇଁ ଏନ୍.ଡି.ଏ ରୁ ଓଡିଶାର ମହିଳା ପ୍ରାର୍ଥୀ ଦୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦେଶର ସର୍ବୋଚ୍ଚ ପଦବୀରେ ଜଣେ ଓଡିଆ ମହିଳା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ସେପଟେ ଏଭଳି ସମୟରେ ମନେପଡେ ବ୍ରହ୍ମପୁରର ଭି.ଭି.ଗିରିଙ୍କ ସେହି ପୁରୁଣା ସ୍ମୃତି ।