ବ୍ରହ୍ମପୁର: ବ୍ରହ୍ମପୁର ସହରରେ 2018 ନଭେମ୍ବର ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଓ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଚୁକ୍ତି କରିଥିଲା ଜାନିବିଲି ପ୍ରକଳ୍ପ । କିନ୍ତୁ 2019 ଜୁଲାଇ ସୁଦ୍ଧା ଜାନିବିଲି ପ୍ରକଳ୍ପ ନାଁ ପାଣି ଦେଇଛି, ନାଁ ରାସ୍ତା । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ବ୍ରହ୍ମପୁରବାସୀ । ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମୁଖରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ ଆରମ୍ଭ କରିଛନ୍ତି ମାନବ ଅଧିକାର ସୁରକ୍ଷା ମଞ୍ଚ କର୍ମୀ ।
ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପ୍ରକଳ୍ପକୁ ବିରୋଧ କରି ‘ଜାନିବିଲି ପ୍ରଚାର ସାଇଁ ସାଇଁ, ପାଣି ଯୋଗାଣ କାହିଁକି ନାହିଁ’ର ସ୍ଲୋଗାନ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ଜାନିବିଲି ଜଳ ପ୍ରକଳ୍ପ ପାଇଁ ପାଞ୍ଚ ଶହ କୋଟି ଏଲ ଏଣ୍ଡ ଟି କମ୍ପାନୀ ସହ ରାଜିନାମା କରି ପାଣି ଓ ରାସ୍ତାର ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରକଳ୍ପ ପାଇଁ ଲୋକ ଖୁସି ଥିବାବେଳେ ଏବେ ପାଣି ତ ଦୂରର କଥା ରାସ୍ତାଘାଟର ମଧ୍ୟ ଶୋଚନୀୟ ଅବସ୍ଥା । ଯାହାଫଳରେ ଯାତାୟତ ପାଇଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ତେବେ ଏହି ପ୍ରକଳ୍ପ ନିର୍ବାଚନ ବୈତରଣୀ ପାର ହେବାର କେବଳ ଯେ ଏକ ଧୁଆଁବାଣ କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମାନବ ଅଧିକାର ସୁରକ୍ଷା ମଞ୍ଚ ।