ବ୍ରହ୍ମପୁର: ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ସମ୍ପାଦକ ଗ୍ରାହକ ସୁରକ୍ଷା ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏଥିସହ ଜିଲ୍ଲା ପରିଷଦର ଭୂମିକା ଏବଂ ଦାୟିତ୍ବ ୬ଟି ଉପଭୋକ୍ତା ଅଧିକାର ବିଷୟରେ ଆଲୋଚନା କରିଥିଲେ ।
ଗ୍ରାହକ ସୁରକ୍ଷା ଆଇନ୍ ୨୦୧୯ର ଉଦ୍ଦେଶ୍ୟ ଓ ଏହାର ଆଭିମୁଖ୍ୟ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଏବଂ ଉପଭୋକ୍ତା ବିବାଦର ସମାଧାନ ପାଇଁ ଏକ ସ୍ଥିର ତଥା ଦୃଢ ପ୍ରଣାଳୀ ପ୍ରତିଷ୍ଠା କରିବା ଏହି ଆଇନ୍ ର ମୂଳ ଲକ୍ଷ୍ୟ । ଜୀବନ ଏବଂ ସମ୍ପତ୍ତି ପାଇଁ ବିପଦ ଜନକ ଦ୍ରବ୍ୟ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା । ତେବେ ଗ୍ରାହକଙ୍କୁ ସାମଗ୍ରୀର ଗୁଣବତ୍ତା, କ୍ଷମତା, ପରିମାଣ ମାନକ, ଶୁଦ୍ଧତା ଏବଂ ମୂଲ୍ୟ ବିଷୟରେ ସୂଚନା ଦେବା, ଗ୍ରାହକଙ୍କ ଅଧିକାର ଏବଂ ସ୍ବାର୍ଥର ସୁରକ୍ଷା ପାଇଁ ଗ୍ରାହକ ସୁରକ୍ଷା ପରିଷଦ ଗଠନ କରିବା , ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା, ଦ୍ରବ୍ୟର ମୂଲ୍ୟ, ଦ୍ରବ୍ୟ ପ୍ୟାକିଂ ତାରିଖ ଏବଂ ଅବଧି ଶେଷ ତାରିଖ ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏଥିସହ ଗ୍ରାମାଞ୍ଚଳରେ ଗ୍ରାହକଙ୍କୁ ସଚେତନ କରାଇବା, ବ୍ଲକ୍, ତହସିଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ ଗୋଟିଏ ସଚେତନତା ଶିବିର କରି ଗ୍ରାହକ ମାନଙ୍କୁ ବୁଝାଇବାକୁ ପଡିବ । ଅନଲାଇନରେ ମଧ୍ୟ ଗ୍ରାହକ ମାନଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ବିଦ୍ୟାଳୟ ଗୁଡିକରେ ଟେଷ୍ଟିଂ ଲ୍ୟାବ୍ କରିବା ପାଇଁ ଜିଲ୍ଲାପାଳ ପରିଡା ପରାମର୍ଶ ଦେଇଥିଲେ । ତେବେ ଜାତୀୟ ଖାଉଟି ସହାୟତା ନମ୍ବରରେ ଗ୍ରାହକ ଅଭିଯୋଗ ଦାଖଲ କରିପାରିବେ । ଅନଲାଇନ୍ ଠକେଇ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।