ବ୍ରହ୍ମପୁର: ସତର୍କତା ଅବଲମ୍ବନ କଲେ କୋଭିଡ୍ ସଂକ୍ରମଣ ହେବ ନାହିଁ । ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା କୋଭିଡ୍ ମୁକ୍ତ ହେବ। ହେଲେ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଏନେଇ ସଦର ମହକୁମ୍ମା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକଙ୍କୁ କୋଭିଡ୍ 19 ପରିଚାଳନାଗତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସତର୍କତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଜଣେ କୋଭିଡ୍ ସମ୍ପର୍କିତ ପରିଚାଳକ ମନିଟର ରହିବା ସହ ସେମାନେ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବେ । ବିଶେଷ କରି କାର୍ଯ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ, କାର୍ଯ୍ୟାଳୟ ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ କରାଯିବ ।
ସେହିପରି କୋଭିଡ୍ ପରିଚାଳନା ଗତ ସଭାସ୍ଥଳ ଗୁଡିକୁ ଖୋଲା ସ୍ଥାନରେ ଆୟୋଜନ କରିବା ପାଇଁ ପରାମର୍ଶ ଦିଆଯାଇଛି । କ୍ବାରେଣ୍ଟାଇନ୍ ସେଣ୍ଟରରେ ନିୟମିତ ଖାଦ୍ୟ ଉପଲବ୍ଧ, ଡାକ୍ତରଙ୍କ ଉପସ୍ଥିତି, ସାମାଜିକ ଦୂରତ୍ବ ରକ୍ଷା, ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ ଇତ୍ୟାଦି ଦିଗରେ କଡା ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରତି ଓ୍ବାର୍ଡରେ ଜଣେ ଲେଖାଏଁ କମ୍ୟୁନିଟି କୋଭିଡ୍ ମନିଟର୍ ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ଦୈନିକ ତଥ୍ୟ ପ୍ରଦାନ କରିବା ସହ ସତର୍କତା ପ୍ରତି ସଚେତନତା ସୃଷ୍ଟି କରିବେ । କୋଭିଡ୍ କେୟାର ସେଣ୍ଟର ଓ କ୍ଲଷ୍ଟରସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।