ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଦୁର୍ବଳ ଅର୍ଥନୀତି, ଦରବୃଦ୍ଧି ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିଲେ ।
କେନ୍ଦ୍ରର ମୋଦି ସରକାର ଦ୍ବିତୀୟଥର କ୍ଷମତାସୀନ ହେବା ପରେ ଦେଶର ଅର୍ଥନୀତି ଧ୍ବଂସ ଆଡକୁ ଗତି କରୁଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥା ଫଳରେ ଦେଶରେ ଉତ୍ପାଦନ କମିବାରେ ଲାଗିଥିବା ବେଳେ ଦେଶରେ ପ୍ରଥମଥର ପାଇଁ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ରାଜ୍ୟର ନବୀନ ସରକାରଙ୍କ ଅମଳରେ ଆଇନର ଶାସନ ବୋଲି କିଛି ନାହିଁ ବୋଲି କୁହାଯିବା ସହ ବର୍ତ୍ତମାନର ଦର ବୃଦ୍ଧି ଏପରି ଅବସ୍ଥାକୁ ଆସିଯାଇଛି ଯେ ଗରିବ ଲୋକେ ପିଆଜ ସହିତ ପଖାଳ ଗଣ୍ଡେ ଖାଇବା ସମ୍ଭବପର ନୁହେଁ । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର ନିଜ ନିଜର ପରିବାର ଚଳାଇବାକୁ ଅକ୍ଷମ ରହିଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।