ବ୍ରହ୍ମପୁର:ଖଲ୍ଲିକୋଟ କଲେଜର ଇତିହାସ ନଷ୍ଟ ନକରିବା ସହ ବର୍ଦ୍ଧିତ ଘର ଟିକସ ଆଦାୟକୁ ବିରୋଧ କରିଛି ଗଞ୍ଜାମ କଂଗ୍ରେସ । ଏନେଇ ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଜିଲ୍ଲା କଂଗ୍ରେସ । ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation-BeMC) ଆଦାୟ କରୁଥିବା ବର୍ଦ୍ଧିତ ଘର ଟିକସକୁ ନିନ୍ଦା କରିଛି ଦଳ । କଂଗ୍ରେସ ନେତା ପୀତବାସ ପଣ୍ଡା କହିଛନ୍ତି ଯେ, "ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମ ଯେଉଁଭଳି ଭାବେ ବର୍ଦ୍ଧିତ ଘର ଟିକସ ଆଦାୟ କରୁଛି ତାହା ନିନ୍ଦନୀୟ ।"
କଂଗ୍ରେସ ନେତା ଆହୁରି ଅଭିଯୋଗ କରିଛନ୍ତି ଯେ, "ଏହି ଘଟଣା ଉଚ୍ଚ ନ୍ୟାୟାଳୟରେ( High Court ) ବିଚାରଧୀନ ରହିଛି ଓ ନ୍ୟାୟାଳୟ ପୁରୁଣା ଦରରେ ଟିକସ ଆଦାୟ କରିବା ସହ ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୁଣି ଥରେ ବର୍ଦ୍ଧିତ ଟିକସ ଆଦାୟ କରାଯାଉଛି । ଆଗାମୀ ୩ ତାରିଖରେ ଏ ନେଇ କଂଗ୍ରେସ ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବ ।"
ଏହାସହ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ୧୪୪ ବର୍ଷର ମହାବିଦ୍ୟାଳୟ ହୋଇଥିବାବେଳେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହାର ଇତିହାସ ନଷ୍ଟ କରିବାକୁ ବସିଥିବା ଅଭିଯୋଗ କରିଛି କଂଗ୍ରେସ । ଗତବର୍ଷଠାରୁ ଏହାର ଇତିହାସ ନଷ୍ଟ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଉଛି । କଂଗ୍ରେସ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ସେତେବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ଖୁବଶୀଘ୍ର ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।