ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଜିଲ୍ଲାବାସୀଙ୍କ ସହଯୋଗ ଓ ଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗଞ୍ଜାମ ଜିଲ୍ଲାପାଳ ଶାରଦୀୟ ଦୁର୍ଗା ପୂଜା ପରେ ଦୀପାବଳି ତଥା କାଳୀପୂଜା ରହିଥିବାରୁ ଏହି ସମୟରେ ସମସ୍ତେ ଅଧିକ ସଜାଗ ରହିବାକୁ ଆହ୍ବାନ କରି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ଯାତ୍ରା, ଦଣ୍ଡନୃତ୍ୟ ଓ ଗଣେଶ ପୂଜା ସମୟରେ ଅନେକ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଆସନ୍ତା ଦୁର୍ଗା ପୂଜାକୁ ସାର୍ବଜନୀନ ପୂଜା ନକରି ନିଜ ଘରେ ରହି ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ ସରକାରଙ୍କ ଅନଲକ୍-୫ ରେ କେବଳ ଆମ ଜୀବିକା ମଜବୁତ କରିବାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଜନସାଧାରଣଙ୍କ ଯାତାୟତ ବଢ଼ିଯାଇଛି। ଏଥିଲାଗି ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ଏପରିକି ଆଗକୁ ଶୀତ ମାସ ଆସୁଛି । ଏଣୁ ଥଣ୍ଡା ଯୋଗୁଁ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥିବାରୁ ଏ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି ।