ବ୍ରହ୍ମପୁର: କୋରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏମିତିରେ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟରରେ ଦିଆଯାଉଥିବା ଖାଦ୍ୟର ମାନ ପରଖିବା ପାଇଁ ସେ ଶୁକ୍ରବାର ହଠାତ୍ ଆସି କୋଭିଡ କେୟାର ସେଣ୍ଟରରେ ପହଞ୍ଚିଥିଲେ । ଏହାପରେ ସେଠାରେ ପରସା ଯାଉଥିବା ଖାଦ୍ୟ ନିଜେ ଖାଇ ଏହାର ମାନ ଯାଞ୍ଚ କରିଥିଲେ ।
କୋଭିଡ କେୟାର ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ, ପରଖିଲେ ଖାଦ୍ୟର ମାନ ସୂଚନା ଅନୁଯାୟୀ ସ୍ଥାନୀୟ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ରହିଥିବା ପାରଳା ମହାରାଜା କୋଭିଡ କେୟାର ସେଣ୍ଟରରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ରହିଥିବା ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚାର ଅନ୍ତ ଘଟାଇବା ପାଇଁ ଖୋଜ ଜିଲ୍ଲାପାଳ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଖାଦ୍ୟ ଖାଇବା ସହ ଏହାର ମାନ ଯାଞ୍ଚ କରିଥିଲେ । ତେବେ ଏହି ଖାଦ୍ୟ ସୁସ୍ବାଦୁ ରହିଥିବା ବେଳେ ଖାଦ୍ୟର ମାନରେ କୌଣସି ସମସ୍ୟା ନଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ । ତଥାପି ଲୋକଙ୍କ ଅଭିଯୋଗ ମୁତାବକ ଆକ୍ରାନ୍ତଙ୍କୁ ସବୁଠାରୁ ଭଲ ଖାଦ୍ୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତିବଦ୍ଧ ଥିବା ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ ସମ୍ପୃକ୍ତ କୋଭିଡ କେୟାର ସେଣ୍ଟର ପରିସରରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ଖରାପ ଥିବା ନେଇ ସେଠାରେ ଚିକିତ୍ସିତ ଲୋକେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ କରିଥିଲେ । ଏଥିରେ ପଦକ୍ଷେପ ସ୍ବରୂପ ଜିଲ୍ଲପାଳ ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଆକାରରେ ଭେଣ୍ଡରକୁ ପରିବର୍ତ୍ତନ ନେଇ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପରିମଳ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ନେଇ ମଧ୍ୟ ଜିଲ୍ଲାପାଳ ଆଶ୍ବସ୍ତ କରିଥିଲେ । ସମ୍ପୃକ୍ତ ସେଣ୍ଟରରେ ଚିକିତ୍ସିତ ଆକ୍ରାନ୍ତଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସେମାନଙ୍କ ସୁବିଧା ଅସୁବିଧା ମଧ୍ୟ ସେ ପଚାରି ବୁଝିଥିଲେ ।
ଏସବୁ ସତ୍ତ୍ବେ ବାରମ୍ବାର ଅଭିଯୋଗ ଆସିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସମ୍ପର୍କୀତ ଏବଂ କୋଭିଟ ସେଣ୍ଟର ସମ୍ପର୍କିତ ଅଭିଯୋଗ ପାଇଁ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜନ ସାଧାରଣଙ୍କ ଅବଗତି ପାଇଁ ଜାରି କରାଯାଇଥିଲା । ହେଲେ ନିଜେ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିବା ଘଟଣା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ