ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ କୋରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ । ତେଣୁ ଜିଲ୍ଲାବାସୀ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସେପ୍ଟେମ୍ବର ମାସ ଗଞ୍ଜାମ ଜିଲ୍ଲାପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜିଲ୍ଲା ବାସୀ ସତର୍କ ରହିବା ନିହାତି ଆବଶ୍ୟକ । ଆରଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ପୂର୍ବ ଦିନ ମାନଙ୍କରେ ଯୋଜନା ପ୍ରସ୍ତୁତ କରି ପରୀକ୍ଷା କଲେ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରିବ ।
କମ୍ୟୁନିଟି କ୍ୟାଡର୍ କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରନ୍ତୁ । କୋଭିଡ୍ କେୟାର ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ । ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ଗଣ ଜୁମ୍ ମିଟିଂ କରି ତାଙ୍କ ଅବସ୍ଥା ବୁଝନ୍ତୁ । ସ୍ଥାନୀୟ ଷ୍ଟାଫଙ୍କୁ ନେଇ ଟିମ୍ ଗଠନ କରି ସ୍ୱାସ୍ଥ୍ୟ ଯାଞ୍ଚ୍ ସଂଗ୍ରହ ସହ ସଚେତନତା କାର୍ଯ୍ୟ କରାନ୍ତୁ । ମେଗା ହେଲଥ୍ ସ୍କ୍ରିନିଂ ସର୍ଭେ କରାଯିବ । ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ଚଳଚଞ୍ଚଳ ଥିବା ସଭ୍ୟଙ୍କୁ କୋଭିଡ୍ ସଖୀ (covid friend) ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରାଯିବ ବୋଲି କହିଛନ୍ତି ଜିଲାପାଳ ।
ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ । ମିନି କଣ୍ଟେନମେଣ୍ଟ ଅଞ୍ଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା । ବର୍ତ୍ତମାନ ଖୋଲାଯାଉଥିବା ଦୋକାନ ଗୁଡିକ ସାମାଜିକ ଦୂରତ୍ୱ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି । ଏଣୁ ଚଢାଉ କରି ସଂପୃକ୍ତ ଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ସୋମବାର ଅଣ୍ଡା ବିତରଣ ହେବ । ସେପ୍ଟେମ୍ବର ମାସରେ ଚାରି ମାସର ଜାତୀୟ ପେନସନ୍ ଯୋଜନା ଭତ୍ତା ଓ ମଧୁବାବୁ ପେନସନ୍ ଯୋଜନା ଭତ୍ତା ବଣ୍ଟନ କରାଯିବ । ସେପ୍ଟେମ୍ବର ମାସରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ ।