ବ୍ରହ୍ମପୁର:ରାଜ୍ୟରେ କୋଭିଡ-୧୯ ସ୍ଥିତିକୁ ନେଇ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଥିଲା ଗଞ୍ଜାମ ଜିଲ୍ଲା । କୋରୋନା ନିୟନ୍ତ୍ରଣ ପାଇଁ ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଏବଂ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେହି ସମୟରେ ଏହି ଜିଲ୍ଲାକୁ ବହୁସଂଖ୍ୟାରେ ଦାଦନ ଶ୍ରମିକ ଫେରିଥିଲେ। ଆଉ ପରେ ଜିଲ୍ଲାରେ ଦୃତଗତିରେ ବୃଦ୍ଧି ପାଇଥିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା ।
ପରେ ଆରମ୍ଭ ହୋଇଥିଲା ଅସଲ ମୁକାବିଲା । ସମସ୍ତ ସରକାରୀ ସମ୍ବଳର ସଠିକ ବିନିଯୋଗ କରି, କୋରୋନା ମୁକାବିଲାରେ ଲାଗି ପଡିଥିଲା ଜିଲ୍ଲା ପ୍ରଶାସନ । ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଉପକରଣର ଭରପୁର ବ୍ୟବହାର ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ନିୟମିତ ପ୍ରୟାସରେ କୋରୋନା ଗତି ରୋକିବାକୁ ହୋଇଥିଲା ଉଦ୍ୟମ ।
ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପ୍ରଥମେ ଏମକେସିଜିରେ ନୂତନ କାଜୁଆଲଟି କୋଠାରେ କୋଭିଡ-୧୯ ସନ୍ଦିଗ୍ଧଙ୍କ ଚିକିତ୍ସା ଆରମ୍ଭ କରିଥିଲା । ପରେ ଏମକେସିଜିର ଡାକ୍ତର ଓ ନର୍ସଙ୍କ ସମେତ ପାରାମେଡିକାଲ କର୍ମଚାରୀଙ୍କୁ ନେଇ ସହର ଉପକଣ୍ଠ ଟାଟା ମେଡିକାଲରେ ଆରମ୍ଭ ହୋଇଥିଲା ଜିଲ୍ଲାର ପ୍ରଥମ ଡେଡିକେଟେଡ୍ କୋଭିଡ ହସ୍ପିଟାଲ ।