ବ୍ରହ୍ମପୁର: ଏକ ସାଧାରଣ ମହିଳାରୁ ଜୀବନ ବ୍ୟାପି ଉଦ୍ୟମ , ସମାଜ ସେବା, ମହିଳା ଙ୍କୁ ସଶକ୍ତିକରଣ ଠାରୁ ଆରମ୍ଭ କରି ଜଙ୍ଗଲ ସୁରକ୍ଷା , ଜୀବଜନ୍ତୁ ଙ୍କ ପ୍ରତି ଭଲପାଇବା ତାଙ୍କୁ ପଲ୍ଲୀରୁ ଦିଲ୍ଲୀରେ ପହଞ୍ଚାଇପାରିଛି । ଆଉ ଏଭଳି କାର୍ଯ୍ୟ କୁ ନେଇ ସମୟାନୁକ୍ରମେ ସେ ପାଲଟିଯାଇଛନ୍ତି ମହିଳାଙ୍କ ପାଇଁ ଉଦାହରଣ । ସେ ଆଉ କେହି ନୁହନ୍ତି ଆମ ରାଜ୍ୟର ଚର୍ଚ୍ଚିତ ସାଂସଦ ପ୍ରମିଳା ବିଷୋୟୀ ।
2019 ସାଧାରଣ ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ପଲ୍ଲୀର ମାଆ ତଥା ଆସିକା ସାଂସଦ ପ୍ରମିଳା ବିଷୋୟୀ । ବୟସ ୭1 ଛୁଇଁଲାଣି ତଥାପି ତାଙ୍କର କାର୍ଯ୍ୟ ଶୈଳୀ, ରାଜନୈତିକ ମଞ୍ଚରେ ଭାଷଣ ସହିତ ଗୀତ ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଇଛି ।
ଏଇଥିପାଇ ତ ମାତ୍ର ତୃତୀୟ ପାଠ ପଢି ଥିବା ପ୍ରମିଳା ଆଜି ନିଜ ଗାଁ ଚେରମାରିଆରେ କେବଳ ନୁହେଁ ବରଂ ସାରା ଜିଲ୍ଲା ତଥା ରାଜ୍ୟରେ ପରିଚିତ ହୋଇପାରିଛନ୍ତି । ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ଥିବା ମହିଳାଙ୍କ ସଂଙ୍ଘ ଗଠନ , ଗ୍ରାମବାସୀଙ୍କୁ ଏକତ୍ରିତ କରି ବାହ୍ୟ ମଳମୁକ୍ତ ଅଞ୍ଚଳ ଗଠନ ଠାରୁ ପୋଖରୀ ଖନନ , ବନୀକରଣ , ମୟୂର ସୁରକ୍ଷା , ଜଙ୍ଗଲ ସୁରକ୍ଷା ଭଳି ତମାମ ସାମାଜିକ କାର୍ଯ୍ୟ କରି ସେ ନାରୀ ସଶକ୍ତିକରଣ ପାଇଁ ପାଲଟିଯାଇଛନ୍ତି ଏକ ଅନନ୍ୟ ଉଦାହରଣ ।