ବ୍ରହ୍ମପୁର: ଶ୍ରୀନଗରରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତର ନେତୃତ୍ବ, ସାମାଜିକ ପରିବର୍ତ୍ତନ, ଆର୍ଥୀକ ବିକାଶ ଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ ବିଷୟରେ ଏ ନେଇ ଆଜି(ମଙ୍ଗଳବାର) କାଶ୍ମୀରର ଶ୍ରୀନଗରଠାରେ ଉଦବୋଧନ ଦେବେ ଗଞ୍ଜାମ ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆରତି ଦେବୀ । ଆଜି ଶ୍ରୀନଗରଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଜାତୀୟ ସ୍ତରୀୟ ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମର ଆରତୀ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି।
ଏ ନେଇ ଲୋକସଭା କାର୍ଯ୍ୟାଳୟର ନିର୍ଦ୍ଧେଶକ ଡ. ସମା କୌଇ 'ସି', ପତ୍ର ଲେଖି ଆରତି ଦେବୀଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ଅପରାହ୍ନ ୧ଟାରେ ଜାତୀୟସ୍ତରୀୟ ଏହି ସମ୍ମିଳନୀରେ ଗ୍ରାମାଞ୍ଚଳରେ ମହିଳାମାନେ କିଭଳି ସଶକ୍ତିକରଣ ହୋଇପାରିବେ ଏବଂ ସେମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡ କିପରି ବୃଦ୍ଧି ହୋଇପାରିବ ସେନେଇ ଆରତୀ ଉଦବୋଧନ ଦେବେ । ଲୋକସଭା ବାଚସ୍ପତି ବିର୍ଲାଙ୍କ ପକ୍ଷରୁ ପ୍ରଥମେ ଚଳିତବର୍ଷ ଜାନୁଆରୀ ୮ରେ ଏବଂ ପରେ ଫେବୃଆରୀ ୨୬ରେ ଦୁଇଟି ସମ୍ମିଳନୀ ହୋଇସାରିଛି।