ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ତଲାସିଂ ଗ୍ରାମରେ ଏକ ଧାନ କିଆରୀରୁ କୁମ୍ଭୀର ଉଦ୍ଧାର ଘଟଣା । ଏହାସହ କୁମ୍ଭୀରକୁ ମୋଟର ସାଇକେଲରେ ନିଆଯିବା ଘଟଣାକୁ ଗୁରୁତ୍ବର ସହ ନେଇଛି ବନ ବିଭାଗ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବ୍ରହ୍ମପୁର ଆର୍.ସି.ସି.ଏଫ୍ ଉଦ୍ଧାର କୁମ୍ଭୀରକୁ ସୁରକ୍ଷିତ ଭାବେ ଛଡାଯିବା ପାଇଁ ରହିଥିବା ନିତିନିୟମର ଉଲ୍ଲଙ୍ଘନ ହୋଇଥିବା ନେଇ ଦିଗପହଣ୍ଡିର ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ୱିତ କରିଛନ୍ତି ।
୬ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି କୁମ୍ଭୀରକୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ କେତେକ ଯୁବକ ଉଦ୍ୟମ କ୍ରମେ ଏବଂ ପୂର୍ବତନ ବନ ବିଭାଗର ଠିକା କର୍ମଚାରୀ କିଶୋର ଶୁକ୍ଲ ଏବଂ ଅନ୍ୟ ସହଯୋଗୀମାନେ ମୋଟର ସାଇକେଲରେ ନେବା ଏବଂ ଘୋଡାହାଡ ଜଳଭଣ୍ଡାରରେ ସୁରକ୍ଷିତ ଭାବରେ ଛାଡିବାର ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।