ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ସ୍ଥିତି ନିୟନ୍ତ୍ରଣ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଯେହେତୁ ସମସ୍ତ ଆକ୍ରାନ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରର ହୋଇଥିବାରୁ ଏନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ କୁହାଯାଇଥିବା ବେଳେ କ୍ବାରେନଣ୍ଟାଇନ୍ ସେଣ୍ଟର ଗୁଡିକରେ ରହିଥିବା ପ୍ରବାସୀଙ୍କୁ ଭେଟିବା ଲାଗି କେହି ଯାଉଥିବା ଜଣାପଡିଲେ ସେମାନଙ୍କୁ ମଧ୍ୟ ଧରି ନିଆଯାଇ ଅନ୍ୟ ସେଣ୍ଟରରେ ରଖାଯିବ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ସେଣ୍ଟରରେ ୧୪୪ ଧାରା ଜାରି ରଖିଥିବା ବେଳେ ଜିଲ୍ଲାବାସୀଙ୍କୁ ଏନେଇ ଅଧିକ ସତର୍କ ରହିବା ସହ ସାମାଜିକ ଦୂରତ୍ବକୁ ଅଧିକ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି । ଯେଉଁମାନେ ସଂକ୍ରମିତ ବୋଲି ଜଣାପଡୁଛି ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଏହାସହ ଡାକ୍ତରମାନେ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଥିବା କହିଛନ୍ତି ଜିଲ୍ଲାପାଳ ।
ସେହିଭଳି ବିଭିନ୍ନ ପଡୋଶୀ ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବେଳେ ବହୁଳ ଭାବରେ ଦିନକୁ ଦିନ କୋରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଜିଲ୍ଲାରେ ଆଉ 5 ଟି କୋଭିଡ୍ ହସ୍ପିଟାଲ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।